ଟ୍ରେନରେ କଟି ଯୁବକ ମୃତ
ତିହିଡ଼ି : ଭଦ୍ରକ ଜିଲା ପୀରହାଟ ଥାନା ଅଧୀନ ଭଦ୍ରକ-ଧାମରା ରେଳପଥର ବିନ୍ଧା ଖରାଖାଇ ଛକ ନିକଟରେ ଡିସେମ୍ବର ୨୫ ତାରିଖରେ ଶଶିକାନ୍ତ ବେହେରା (୨୮) ନାମକ ଜଣେ ଯୁବକ ଟ୍ରେନରେ କଟି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଦୌଲତପୁର ପଞ୍ଚାୟତ ଅଧୀନ ଚନ୍ଦ୍ରକାଟବିନ୍ଧା ଗ୍ରାମର ସର୍ବେଶ୍ୱର ବେହେରାଙ୍କ ପୁଅ ଶଶିକାନ୍ତ ମଧ୍ୟାହ୍ନ ସମୟରେ ରେଳପଥ ପାରି ହୋଇ ବିଲକୁ ଯାଉଥିବା ସମୟରେ ଧମରାରୁ ଆସୁଥିବା ଏକ ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ହେବା ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବାରୁ ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ସ୍ଥାନୀୟ ଲୋକେ ଏହା ଜାଣିବା ପରେ ପୀରହାଟ ଥାନାକୁ ଖବର ଦେଇଥିଲେ । ପୀରହାଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଯୁବକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
