ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ, ବାୟୁମଣ୍ଡଳରୁ ଏକାଧିକ ଟାର୍ଗେଟ୍କୁ କରିପାରିବ ଧ୍ୱଂସ
ବାଲେଶ୍ୱର : ମିଶନ ଦିବ୍ୟାସ୍ତ୍ର ଅନ୍ତର୍ଗତ ସ୍ୱଦେଶୀ ରୂପେ ବିକଶିତ ହେଇଥିବା ଅଗ୍ନି-୫ ମିସାଇଲର ପ୍ରଥମ ଉଡାଣ ସଫଳ। ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍ଡିଓ) ଅଧୀନସ୍ତ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ସଫଳତାର ସହିତ ସୋମବାର ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଏହି ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅଗ୍ନି-୫ କ୍ଷେପଣାସ୍ତ୍ରକୁ ମଧ୍ୟ ମଲ୍ଟିପୁଲ ଇଣ୍ଡିପେଣ୍ଡେଣ୍ଟଲି ରି-ଏଣ୍ଟ୍ରି ଭାଇକଲ (ଏମ୍ଆଇଆର୍ଭି) ବୈଷୟିକ କ୍ଷେପଣାସ୍ତ୍ର ବୋଲି ମଧ୍ୟ କୁହାଯାଏ । ଏହି ମିସାଇଲ ଉତ୍କ୍ଷେପଣ ପରେ ବାୟୁ ମଣ୍ଡଳର ଉପରକୁ ଯାଇ ପୁଣି ବାୟୁମଣ୍ଡଳକୁ ପ୍ରବେଶ କରିଥାଏ । ସେହିଠାରୁ ଏକାଧିକ ଟାର୍ଗେଟ୍କୁ ଧ୍ୱଂସ କରିପାରିବାର ମଧ୍ୟ କ୍ଷମତା ରଖିଛି । ବାୟୁମଣ୍ଡଳରୁ ଉପରକୁ ଉଠି ଯାଉଥିବାରୁ ଶତ୍ରୁପକ୍ଷର ସାଟେଲାଇଟ୍ ଏହି କ୍ଷେପଣାସ୍ତ୍ରକୁ ଟ୍ରାକ୍ କରିବାରେ ବିଫଳ ହୋଇଥାଏ । ଅଗ୍ନି-୫ରେ ୧୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଉତ୍କ୍ଷେପଣ ସ୍ଥାନ ଠାରୁ ଏହା ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ୍କୁ ହିଟ୍ କରିପାରିବ । ଏହାର ଓଜନ ୫୬୦୦ କିଲୋଗ୍ରାମ୍ ଥିବାବେଳେ ଲମ୍ବ ୧୭.୫ ମିଟର, ମୋଟେଇ ୨ ମିଟର ରହିଛି । ଅଗ୍ନି-୫ କ୍ଷେପଣାସ୍ତ୍ର ଘଣ୍ଟା ପ୍ରତି ୩୦୬୦୦ କିଲୋମିଟର ବେଗରେ ଗତିକରି ଶତ୍ରୁ ପକ୍ଷର ଟାର୍ଗେଟ୍କୁ ଧ୍ୱଂସ କରିପାରିବ । ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ ଦ୍ୱାରା ଆଜିର ଏହି ସଫଳ ପରୀକ୍ଷଣକୁ ନେଇ ଡ଼ିଆରଡ଼ିଓ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଥିବା କୁହାଯାଉଛି ।
ଏନେଇ ଟୁଇଟ୍ କରି ମୋଦୀ ଲେଖିଛନ୍ତି, ମିଶନ ଦିବ୍ୟାସ୍ତ୍ର ପାଇଁ ଡିଆରଡିଓ ବୈଜ୍ଞାନିକଙ୍କ ଉପରେ ଆମର ଗର୍ବ । ଏମଆଇଆରଭି ଜ୍ଞାନକୌଶଳ ସହ ନିର୍ମାଣ ହେଇଥିବା ଏହି ମିସାଇଲର ସଫଳ ପରୀକ୍ଷଣ ହେଇଛି । ସ୍ୱଦେଶୀ ରୂପେ ବିକଶିତ ହେଇଥିବା ଅଗ୍ନି-୫ ମିସାଇଲର ପ୍ରଥମ ଉଡାଣ ସଫଳ ହେଇଛି ବୋଲି ମୋଦୀ ଟୁଇଟ୍ କରି ସୂଚନା ଦେଇଛନ୍ତି ।
