ବିଏନଏମଏ କଲେଜ ଗଣିତ ବିଭାଗରେ ପାଠଚକ୍ର ବିବିଧ ସମୀକରଣରେ ଜୀବନର ପ୍ରୟୋଗାତ୍ମକ ଦିଗ ସୂଚିତ
ତିହିଡ଼ି : ଆମ ଚତୁଃପାର୍ଶ୍ୱର ପୃଥିବୀକୁ ପୂର୍ବାନୁମାନ କରିବା ଦିଗରେ ଭିନ୍ନଭିନ୍ନ ସମୀକରଣର ଉଲ୍ଲେଖନୀୟ କ୍ଷମତା ରହିଛି । ଜୀବବିଜ୍ଞାନ, ଅର୍ଥନୀତି, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଇଞ୍ଜିନିୟରିଂ ଇତ୍ୟାଦି ବିଦ୍ୟାଠାରୁ ଉର୍ଦ୍ଧ୍ୱରେ ସେଗୁଡିକର ଅବସ୍ଥିତି ଓ ଭିନ୍ନଭିନ୍ନ ପ୍ରକାରରେ ଏହାର ବ୍ୟବହାର ହୋଇଥାଏ । ଏସବୁର ସୂକ୍ଷ୍ମତିସୂକ୍ଷ୍ମ ବିକାଶ ଓ କ୍ଷୟ, ଏକୀକରଣ ଓ ସମାଧାନର ସୂତ୍ର ଗଣିତଶାସ୍ତ୍ର ପ୍ରଦାନ କରିଥାଏ ବୋଲି ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିଏନଏମଏ କଲେଜର ଗଣିତ ସମ୍ମାନ ବିଭାଗ ପକ୍ଷରୁ ଆୟୋଜିତ ପାଠଚକ୍ରରେ ଅତିଥି ମତବ୍ୟକ୍ତ କରିଛନ୍ତି । ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ‘ବିବିଧ ସମୀକରଣରେ ଜୀବନର ପ୍ରୟୋଗାତ୍ମକ ଦିଗ\’ ଶୀର୍ଷକ ସଂପାନରେ ବିଷୟ ବିଶାରଦ ଭାବେ ପ୍ରାକ୍ତନ ଗଣିତ ବିଭାଗ ପ୍ରାଧ୍ୟାପକ ରବିନାରାୟଣ ଚୌଧୁରୀ ଯୋଗଦେଇ ବିଷୟବସ୍ତୁ ଉପରେ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ଭାବେ ପରିସଂଖ୍ୟାନ ବିଭାଗ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ସୁସ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ବିଭାଗୀୟ ଅଧ୍ୟାପିକା ପ୍ରିୟଙ୍କା ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଛାତ୍ରୀ ବିଦୁସ୍ମିତା ବେହେରା, ଭକ୍ତହରି ସାହୁ, ମିଥୁନ କୁମାର ପଣ୍ଡା ବିଷୟବସ୍ତୁ ଉପରେ ସ୍ୱରଚିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍, ଦୀପକ କୁମାର ପଣ୍ଡା, ବୈଷ୍ଣବ ମହାନ୍ତି, ଜ୍ୟୋତିର୍ମୟୀ ପ୍ରଧାନ, ରଜନୀଗନ୍ଧା ପତି, ରଶ୍ମିରଞ୍ଜନ ବେହେରା, ଅଜୟ କୁମାର ପୃଷ୍ଟି, ସ୍ୱପ୍ନା ରାୟ ଓ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ର ମାନସ କୁମାର ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।
