‘ଆମ୍ବବଉଳର ମହକ ଆମ ଚେତନାରେ ଭରିଦିଏ ଆନନ୍ଦ’ ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ଫଗୁ ଆଲୋଚନା ଓ କବିତାପାଠ
ତିହିଡ଼ି : ପ୍ରକୃତିଜଗତର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଲାଳସା ମଣିଷର ଏକ ସହଜାତ ପ୍ରବୃତ୍ତି । ଜୀବ ମାତ୍ରେଇ ପ୍ରକୃତି ସ୍ୱରୂପା ଓ ପ୍ରକୃତି ଜଗତ ମାତୃସ୍ୱରୂପା । ଋତୁରାଜ ବସନ୍ତ କବି ଓ ଶିଳ୍ପୀ ପ୍ରାଣରେ ତୋଳେ ଭିନ୍ନ ଏକ ସ୍ପନ୍ଦନ । ଦେହ ମନରେ ମାଖିଦିଏ ଅୟୂତ ସ୍ୱପ୍ନର ଫଗୁଣ । ଆମ୍ବ ବଉଳର ମହକରେ ମହକିତ ହୁଏ ବସନ୍ତ ପ୍ରକୃତି ଓ ପରିବେଶ ଏବଂ ଆମ ଚେତନାରେ ଏକ ଅପୂର୍ବ ଆନନ୍ଦର ଉତ୍ସ ସୃଷ୍ଟିହୁଏ ବୋଲି ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ରବିବାର ଅନୁଷ୍ଠିତ ‘ଆମ୍ବ ବଉଳର ବାସ’ ଶୀର୍ଷକ ଫଗୁ ଆଲୋଚନା ଓ କବିତା ପାଠୋତ୍ସବରେ ଅତିଥି ମତବ୍ୟକ୍ତ କରିଛନ୍ତି । ମଞ୍ଚର ଉପଦେଷ୍ଟା ଅଧ୍ୟାପକ ବିଶ୍ୱରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତ୍ୟାଗଭୂମିର ସଭାପତି ଅଜୟ ନାୟକ ଯୋଗଦେଇ ଆମ୍ବବଉଳ ଚୁମିବା ପରେ କୋଇଲି କଣ୍ଠରୁ ମନମତାଣିଆ ଗୀତ ଝରିବା ପରି କବିର ମନ ମଳୟ ଭାବନାରେ ହିଲ୍ଲୋଳିତ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଟ ସମାଲୋଚକ ଡକ୍ଟର କ୍ଷୀରୋଦ କୁମାର ସାମଲ ଯୋଗଦେଇ ‘ଓଡ଼ିଆ କାବ୍ୟ-କବିତାରେ ବସନ୍ତ’ ଶୀର୍ଷକ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗୀତିକାର କବି ପଞ୍ଚାନନ ନାୟକ ଯୋଗଦେଇ ମାଟି ଓ ଜୀବନର ସଂପ୍ରୀତିବୋଧ କାବ୍ୟସ୍ୱରକୁ ବଳିଷ୍ଠ କରେ ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ତମ୍ଭକାର ମୁକ୍ତିକାନ୍ତ ନାୟକ, କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ପତ୍ରକାର ରାମନାରାୟଣ ନାୟକ ଓ ପ୍ରଭାତ କୁମାର ରାଉଳ ବକ୍ତବ୍ୟ ପ୍ରଦାନ କରିଥିଲେ । ଆବାହକ ଯୁବଗାଳ୍ପିକ କୈଳାସ ବେହେରା ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିବା ବେଳେ କବି ନିରଞ୍ଜନ ବାରିକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । କବି ରଞ୍ଜନ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବୟତ୍ରୀ ବିଶ୍ୱମୈତ୍ରୀ ନାୟକ, ରୋଜାଲିନ୍ ରାଉତ,ରଘୁନାଥ ପାତ୍ର,ସୁରୁଚିପ୍ରଭା ଦାଶ, ନିରୁପମା ପାଣି, ଝୁନୁଲତା ମଲ୍ଲିକ, ଚିନ୍ମୟ ବେହେରା, ରୀନାରାଣୀ ପାତ୍ର, ରୁବିଲତା ଦାସ, କବି ଅବଦୁଲ ଦୟାନ,ପିତାମ୍ବର ସେଠୀ,ମୁସ୍ତାକ ଗହ୍ୱର, ଅଭୟ କୁମାର ଦାସ, ଭଗବାନ ପାଣିଗ୍ରାହୀ, ବିପ୍ଳବ ରଞ୍ଜନ ପତି, କୃପାସିନ୍ଧୁ ମହାନ୍ତି, ମାନସ ରଞ୍ଜନ ପଣ୍ଡା, ପ୍ରଦୀପ୍ତ କୁମାର ମହାନ୍ତି, ମାନସ କୁମାର ପାଢ଼ୀ, ପି. ହୃଷୀକେଶ, ବାବୁରାମ ରାଉତ, ମଥୁରା ମୋହନ ବେହେରା, ନିର୍ମଳଚନ୍ଦ୍ର ଦଳାଇ, ମୁକୁନ୍ଦଦେବ ନାୟକ, ଶୀତଳ କୁମାର ବେହେରା, ନରେଶ ଲେଙ୍କା, ବିନୋଦ ନାୟକ, ବିଭାସ ଶଙ୍କର,ଗଦାଧର ସାହୁ, ମନୋରଞ୍ଜନ ମୁଦୁଲି, ନିତ୍ୟାନନ୍ଦ ସେଠୀ ପ୍ରମୁଖ ବାସନ୍ତିକ କବିତାପାଠ କରିଥିଲେ । ଏହି ଅବସରରେ ପଲ୍ଲବୀ ପୂଜାପଣ୍ଡା ଓ ସଂଗ୍ରାମ ସେନାପତିଙ୍କ ସମ୍ପାଦିତ ଶିଶୁପତ୍ରିକା ‘ଶିଶୁପଲ୍ଲପ’କୁ ଅତିଥିମାନେ ଲୋକାର୍ପିତ କରିଥିଲେ । କବି ଦେବେନ୍ଦ୍ରନାଥ ମହାଳିକ ଓ ତପନ କୁମାର ହାତୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଯୋଜକ ବିସ୍ମୟବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
