ଭୂମିହୀନଙ୍କୁ ଘରଡିହ ପଟା ଯୋଗାଇ ଦେବାକୁ ଚାଷୀମୂଲିଆ ସଂଘର ଦାବି
ତିହିଡ଼ି : ଭୂମିହୀନ ପରିବାରଙ୍କୁ ଘରଡିହପଟା ଯୋଗାଇ ଦେବାକୁ ଚାଷୀମୂଲିଆ ସଂଘ ଦାବି କରାଯାଇଛି । ଏ ନେଇ ସଂଘ ପକ୍ଷରୁ ଚାଷୀମୂଲିଆ ସଂଘର ସଭାପତି ସୁଶାନ୍ତ ଜେନା, ଅପୁଜ ଆକ୍ତାର, ବିକ୍ରମ ହେମ୍ବ୍ରମ, ବେଲମତୀ ମୁଣ୍ଡା, ପୁର୍ଣ୍ଣ ଶିଙ୍ଗି, ଉଦୟ ହେମ୍ବ୍ରମ, ଗଣେଶ ସେନାପତି, କୁଚିମଣି ମୁଣ୍ଡା, ସରସ୍ୱତୀ ଜେନା ପ୍ରମୁଖ ଏକ ଦାବି ପତ୍ର ଜିଲାପାଳଙ୍କୁ ପ୍ରଦାନ କରିବା ସହ ତୁରନ୍ତ ଘରବାଡ଼ି ପଟା ଯୋଗାଇ ନଦେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସଂଘ ପକ୍ଷ ଦର୍ଶାଯାଇଛି ଯେ, ଭାରତ ସ୍ୱାଧୀନ ହେବା ପର ଠାରୁ ବହୁ ଗରିବ ଭୂମିହୀନମାନେ ରାସ୍ତାକଡ଼, ରେଳଲାଇନ କଡ଼, ପୋଲ ତଳେ ଏବଂ ଅଳିଆ ଆବର୍ଜନା ପଡ଼ୁଥିବା ସ୍ଥାନରେ ରହୁଛନ୍ତି । ଏହି ସ୍ଥାନ ଗୁଡ଼ିକ ଜୀବନ ଯାପନ ପାଇଁ ଉପଯୁକ୍ତ ହୋଇ ନଥିବା ବେଳେ ବହୁ କଷ୍ଟରେ ଭୂମିହୀନ ମାନେ ଜୀବନ କାଟୁଛନ୍ତି । ଏପରିକି ସେମାନଙ୍କର ଘରବାଡ଼ି ନଥିବାରୁ ବିଭିନ୍ନ ଆବାସ ଯୋଜନା ସହିତ ବିଦ୍ୟୁତ, ପାନୀୟଜଳ, ପାଇଖାନା, ଜାତିଗତ ପ୍ରମାଣପତ୍ର ପାଇ ପାରୁନାହାନ୍ତି । ଏନେଇ ଗତ ୨୦୧୪ ମସିହାରୁ ଆଜି ଯାଏ ବିଭିନ୍ନ ସମୟରେ ଆନ୍ଦୋଳନ ଓ ଦାବିପତ୍ର ମାଧ୍ୟମରେ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଦାବି ଉପସ୍ଥାପନ କରି ଆସୁଛନ୍ତି । ମାତ୍ର ଏ ନେଇ ପ୍ରଶାନସ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କରାଯାଉ ନାହିଁ । ସରକାରଙ୍କର ‘ଜମି ମିଶନ’ ଯୋଜନାରେ ଭୂମିହୀନଙ୍କୁ ଜାଗା ଯୋଗାଇ ଦେଇ ପଟା ପ୍ରଦାନ କରିବାର ନିୟମ ଥିଲେ ମଧ୍ୟ ଏଯାଏ ସେମାନଙ୍କୁ ଜାଗା ଯୋଗାଇ ଦିଆଯାଉ ନାହିଁ ।
