ବିଏନଏଏ କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ
ତିହିଡ଼ି : ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିଏନଏଏ କଲେଜରେ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତଦୁଇସ୍ତରୀୟ ୮ଦିନିଆ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡା ଯୋଗଦେଇ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିକ୍ଷା ବର୍ତ୍ତମାନ ସମାଜ ପାଇଁ ନିତାନ୍ତ ଜରୁରି ବୋଲି କହିଥିଲେ । ପ୍ରାକ୍ତନ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସରୋଜ କୁମାର ମହାପାତ୍ର, ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ତପନ କୁମାର ନାୟକ ଓ ଗୃହବିଜ୍ଞାନ ପରୀକ୍ଷାଗାର ପ୍ରଶିକ୍ଷିକା ସ୍ୱପ୍ନା ରାୟ ପ୍ରମୁଖ ଯୋଗଦେଇ ଛାତ୍ରୀ ସୁରକ୍ଷା ଉପରେ ଉଦବୋଧନ ଦେଇଥିଲେ । ଏହି ଶିବିରରେ ଅଂଶଗ୍ରହଣ କରିଥିବା ଛାତ୍ରୀମାନେ ଶିକ୍ଷା କରିଥିବା କୌଶଳ ପ୍ରଦର୍ଶନ କରିବା ସହ ଶିବିରକାଳୀନ ଅନୁଭୂତି ପ୍ରକାଶ କରିଥିଲେ । ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ପ୍ରିୟଙ୍କା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଶିକ୍ଷିକା ପ୍ରିୟଦର୍ଶନୀ ନାୟକ, ଜ୍ୟୋତିପ୍ରଭା ଜେନା ଓ ମଧୁସ୍ମିତା ନାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିବିରରେ କୃତିତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ଛାତ୍ରୀମାନଙ୍କୁ ଅତିଥିମାନେ ସାର୍ଟିଫିକେଟ୍ ଓ ପୁରସ୍କାର ପ୍ରଦାନ କରିଥିଲେ । ମନସ୍ତତ୍ତ୍ୱ ବିଭାଗ ଅଧ୍ୟାପିକା ଜ୍ୟୋତିର୍ମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
