ମଣ୍ଟୁ ଛୁରିଆ, ଶୀତଲ ଙ୍କ ଧମାଲ : ନାଚିଲେ ଝୁମିଲେ ଭରପୁର ଦର୍ଶକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ – ୨୦୨୩ ର ଦ୍ୱିତୀୟ ସନ୍ଧ୍ୟା
ଭଦ୍ରକ : ଜାନୁୟାରୀ ୨୫ରେ ଉଦ୍ଘାଟିତ ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ର ଆଜି ଦ୍ୱିତୀୟ ସନ୍ଧ୍ୟା ଭରପୁର ସହ ଜବରଦସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଷ୍ଟାଡ଼ିୟମ ଦୁଲୁକି ଉଠିଥିଲା । ଅପରାହ୍ନ ୪ଟାରୁ ସ୍ଥାନୀୟ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସାନ୍ଧ୍ୟ ସଭାରେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍.ପି. ବରୁଣ ଗୁଣ୍ଟପାଲି, ଭଦ୍ରକ ପୌରାଧ୍ୟକ୍ଷ ଗୁଲମକୀ ଦଲୱାଜୀ ହବିବ୍, ଧାମନଗର ଏନ୍.ଏ.ସି. ଅଧ୍ୟକ୍ଷା ନିବେଦିତା ଜେନା, ବାସୁଦେବପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ନିବେଦିତା ବେହେରା, ଚାନ୍ଦବାଲି ଏନ୍.ଏ.ସି. ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଭଦ୍ରକ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନା, ଧାମନଗର ଏନ୍.ଏ.ସି. ଉପାଧ୍ୟକ୍ଷ ଅସିମ୍ ୟାଜଦାନୀ କ୍ୱାଦ୍ରି ଯୋଗ ଦେଇଥିଲେ । ତାରକା ଉଦ୍ଘୋଶିତା ଗୁନ୍ଗୁନ୍ ମଞ୍ଚ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଖ୍ୟାତନାମା ସମ୍ବଲପୁରୀ ଯୁବ ଗାୟକ ମଣ୍ଟୁ ଛୁରିଆ ବ୍ୟାଣ୍ଡ ଦ୍ୱାରା ପରିବେଷିତ ରଙ୍ଗା ରଙ୍ଗ ନୃତ୍ୟ, ସମ୍ବଲପୁରୀ ଗୀତ ଭରା ସାଂସ୍କୃତିକ କାର୍ଯ୍ୟକ୍ରମ ଷ୍ଟାଡ଼ିୟମ୍ ଭରା ଖଚାଖଚ ଭିଡ଼ ମଧ୍ୟରେ ବି ଦର୍ଶକ ମଣ୍ଡଳୀ କୁ ଅଭିଭୂତ କରିଥିଲା । ଚଳଚିତ୍ର ତାରକା ହିରୋଇନ୍ ଶୀତଲଙ୍କ ନୃତ୍ୟ ମଧ୍ୟ ବେଶ୍ ଆକର୍ଷଣୀୟ ଥିଲା । ବହୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ଦର୍ଶକଙ୍କୁ ଏସବୁ କାର୍ଯ୍ୟକ୍ରମ ବାନ୍ଧିରଖିଥିଲା । ମଣ୍ଟୁଛୁରିଆ ବ୍ୟାଣ୍ଡର ଶୁଭାଶିଷ, ବୈଭବଙ୍କ ଭଳି ତାରକା ଗାୟକ ଙ୍କ ସହ ଅନ୍ୟ ସାଥୀ ଗାୟକମାନେ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ସେହିପରି ଶୀତଲଙ୍କ ନୃତ୍ୟସହ ସିଜଲର୍ସ ଡ଼୍ୟାନସ୍ ଗ୍ରୁପ୍ ଦ୍ୱାରା ବିଭିନ୍ନ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା । ଖାଦ୍ୟମେଳା ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ବିଭାଗୀୟ ଷ୍ଟଲ, ମହିଳା ଗୋଷ୍ଠୀଙ୍କ ଷ୍ଟଲ ମାନଙ୍କରେ ପ୍ରବଳ ଭିଡ଼ ଲାଗିରହିବାର ଦେଖାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଶାନ୍ତନୁ କୁମାର ମହାନ୍ତି, ସି.ଡ଼ି.ଓ ପ୍ରତାପ ପ୍ରୀତୀମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଏ.ସି.ଡ଼ି.ଓ କୁଶଳ ଚନ୍ଦ୍ର ନାୟକ ସହକାରୀ ଜିଲ୍ଲାପାଳ ମନୋରମା ଜାଲି, କସ୍ତୁରୀବାଳା ଜେନା, କାର୍ତ୍ତିକନାଥ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ନେଇ ଆନୁଷଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରବଳ ଜନଗହଳି ଯୋଗୁଁ ଯାନବାହନ ପାର୍କିଂ, ଜନ ଗହଳି ନିୟନ୍ତ୍ରଣ ନେଇ ଯଥେଷ୍ଟ ପୋଲିସ୍ ମୂତୟନ କରାଯାଇଥିବାର ଦେଖାଯାଇଛି । ଏସ୍.ପି.ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡି.ଏସ୍.ପି. ଡ଼.ଆଇ.ବି. କମଳ ଲୋଚନ ଭୂୟାଁଙ୍କ ସହଯୋଗରେ ବିଭିନ୍ନ ଥାନାର ଆଇ.ଆଇ.ସି. ମାନଙ୍କ ଜରିଆରେ ଶାନ୍ତି ଶୃଙ୍ଖଳା ଓ ଯାନବାହନ ଲୋକମାନଙ୍କ ଗମନା ଗମନ କୁ ଶୃଙ୍ଖଳିତ ଭାବେ ନିୟନ୍ତ୍ରଣ କରାଯାଉଛି ।
