କଲେଜ ରେଡକ୍ରସ ସୋସାଇଟି ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ
ତିହିଡ଼ି : ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିରଞ୍ଚି ନାରାୟଣ ମାଧବ-ଅର୍ଜ୍ଜୁନ ମହାବିଦ୍ୟାଳୟ ଯୁବ ରେଡକ୍ରସ ସୋସାଇଟି ପକ୍ଷରୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସର କାଉନସିଲର ଅଧ୍ୟାପକ ଅମିୟ ରଞ୍ଜନ ଦାସଙ୍କ ସଭାପତିତ୍ୱରେ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡା ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରଶିକ୍ଷକ ଲକ୍ଷ୍ମୀଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ଓ ନିରାକରଣ ଦିଗ ଉପରେ ବିଶଦ ଆଲୋଚନା କରିବା ସହିତ ବିପତ୍ତି ପରିଚାଳନାର ନୂତନ କୌଶଳ ଶିକ୍ଷା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ହୀରକଲତା ଦାଶ, ସ୍ୱପ୍ନା ରାୟ, ଅନୀତା ତ୍ରିପାଠୀ, ପଦ୍ମାଳୟା ଖଟୁଆ ଓ ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସ, ଦେବାଶିଷ ଦାସ, ସୌମେନ ମହାପାତ୍ର, ବୈଷ୍ଣବ ମହାନ୍ତି, ରାଜେଶ ନାୟକ, ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ରେଡକ୍ରସ ସୋସାଇଟି ସଦସ୍ୟା ଅଧ୍ୟାପିକା ସୁସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଅନ୍ୟତମ ସଦସ୍ୟା ଅଧ୍ୟାପିକା ପ୍ରିୟଙ୍କା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
