‘କର୍ମ ତତ୍ପରତା ଜୀବନଚର୍ଯ୍ୟାକୁ କରେ ଶୃଙ୍ଖଳିତ’ ବିଏନ୍ଏମ୍ଏ କଲେଜ ଶିକ୍ଷାକର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ତିହିଡ଼ି : ନିଷ୍ଠାପର କର୍ତ୍ତବ୍ୟ ସମ୍ପାଦନ ପ୍ରତି ଅନୁବଦ୍ଧ ହେଲେ ବ୍ୟକ୍ତିଜୀବନ ଶୃଙ୍ଖଳିତ ହୁଏ । କର୍ମତତ୍ପରତା ବ୍ୟକ୍ତିର ଜୀବନଚର୍ଯ୍ୟାକୁ ମାର୍ଜିତ, ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରାଏ ବୋଲି ସ୍ଥାନୀୟ ପାଳିଆବିନ୍ଧାସ୍ଥିତ ବିରଞ୍ôଚ ନାରାୟଣ ମାଧବ ଅର୍ଜ୍ଜୁନ କଲେଜର ଶିକ୍ଷାକର୍ମଚାରୀ ଯତୀନ୍ଦ୍ର ମୋହନ ପାଢ଼ୀଙ୍କ ଉଦ୍ଦେଶ୍ୟରେ ‘କଲେଜ ଅଧ୍ୟାପକ କର୍ମଚାରୀ ସମନ୍ୱୟ ସମିତି’ ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନାସଭାରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସମିତିର ଉପସଭାପତି ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟକ୍ଷ ପ୍ରଫେସର ଅମୂଲ୍ୟ କୁମାର ପରିଡ଼ା, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କମଳାକାନ୍ତ ବିଶ୍ୱାଳ, ଅବସରପ୍ରାପ୍ତ ଦର୍ଶନ ବିଭାଗ ପ୍ରାଧ୍ୟାପକ ପଦ୍ମନାଭ ମହାରଣା ଓ ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି ଅତିଥି ଭାବେ ମଞ୍ଚାସୀନ ରହି ଶ୍ରୀ ପାଢ଼ୀଙ୍କ ଦୀର୍ଘ ୪୦ବର୍ଷର କର୍ମମୟ ଜୀବନର ଅସୀମ ତ୍ୟାଗ ଓ ସାଧନା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ବାଣିଜ୍ୟ ବିଭାଗରେ ନବାଗତା ପ୍ରାଧ୍ୟାପିକା ଡକ୍ଟର ଚିନ୍ମୟୀ ସେନାପତିଙ୍କୁ ସମିତି ପକ୍ଷରୁ ସ୍ୱାଗତ କରାଯାଇଥିଲା । ଅଧ୍ୟାପକ କର୍ମଚାରୀ ସମନ୍ୱୟ ସମିତିର ସମ୍ପାଦକ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ଅଧ୍ୟାପକ ସରୋଜ କୁମାର ମହାପାତ୍ର ଓ ଅଧ୍ୟାପକ ଅଜୟ ପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରରେ ସମିତି ପକ୍ଷରୁ ଶ୍ରୀ ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ଅନୀତା ତ୍ରିପାଠୀ ମାନପତ୍ର ପାଠ କରିଥିଲେ । ଅଧ୍ୟାପିକା ହୀରକଲତା ଦାଶ, ସ୍ୱପ୍ନା ରାୟ, ଆଲିଶା କୁଅଁର, ଭରତ ପାତ୍ର, ବିଧୂଭୂଷଣ ମୁଦୁଲି, ଚିତ୍ତରଞ୍ଜନ ନାୟକ, ଅଧ୍ୟାପିକା ପଦ୍ମାଳୟା ଖଟୁଆ, ସୁସ୍ମିତା ପଣ୍ଡା, ଜ୍ୟୋତିର୍ମୟୀ ପ୍ରଧାନ, ପ୍ରିୟଙ୍କା ସାହୁ, ସୁଜାତାରାଣୀ ଗରି, ରଜନୀଗନ୍ଧା ପତି, ସଂଜ୍ଞାରାଣୀ ସାହୁ, ଶୁଭଲକ୍ଷ୍ମୀ କର, ବନଜବାସିନୀ ବାରିକ, ଅକ୍ଷୟ କୁମାର ନାୟକ, ରଶ୍ମିରଞ୍ଜନ ବେହେରା, ଅଧ୍ୟାପକ ତପନ କୁମାର ନାୟକ, ଭାଗୀରଥୀ ଜେନା, ଅଜୟ କୁମାର ପୃଷ୍ଟି, ସୁବ୍ରତ ମଲ୍ଲିକ, ପ୍ରତାପ ମଲ୍ଲିକ୍ ପ୍ରମୁଖ ବିଦାକାଳୀନ ସ୍ୱତନ୍ତ୍ର ଶୁଭେଚ୍ଛା ପ୍ରଦାନ କରିଥିଲେ । ନିକଟ ଅତୀତରେ ଅବସର ଗ୍ରହଣ କରିଥିବା କର୍ମଚାରୀ ଅମରନାଥ ପାତ୍ର, ମୁରଲୀଧର ପଣ୍ଡା, ହୃଷୀକେଶ ଜେନା, ପ୍ରାଣବନ୍ଧୁ ବାରିକ୍, ଅମରନାଥ ମଲ୍ଲିକ୍, କିଶୋର ମଲ୍ଲିକ୍, ଦୈତାରୀ ନାୟକ, ଅଭିମନ୍ୟୁ ମହାନ୍ତି, ରୁକ୍ମଣୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସମିତିର ସହସମ୍ପାଦକ ବୈଷ୍ଣବଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
