‘ଉତ୍କଳ ସମ୍ମିଳନୀର ସ୍ୱପ୍ନ ଆଜିସୁଦ୍ଧା ଅଧୁରା ଅଛି’ (ତିହିଡ଼ି ସମ୍ବାଦ ସାହିତ୍ୟଘର ପକ୍ଷରୁ ଉତ୍କଳ ଦିବସ ପାଳିତ)
ତିହିଡ଼ି : ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ସଂଗ୍ରାମ କେବଳ ଉତ୍କଳ ସମ୍ମିଳନୀର ଏକମାତ୍ର ଆହ୍ୱାନ ନଥିଲା, ଓଡ଼ିଆ ଜାତିର ସାମଗ୍ରିକ ବିକାଶ ଥିଲା ଏହାର ଆଭିମୁଖ୍ୟ । ଆଜି ବି ଓଡ଼ିଆମାନଙ୍କ ମଧ୍ୟରେ ପାରସ୍ପରିକ ସଦଭାବନାର ଅଭାବ ପରିଲକ୍ଷିତ । ଓଡ଼ିଶା ପ୍ରଦେଶ ଗଠନକୁ ୮୮ ବର୍ଷ ଛୁଇଁଥିଲେ ହେଁ ବିଚ୍ଛିନ୍ନାଞ୍ଚଳ ସମସ୍ୟା, ପଡ଼ୋଶୀ ପ୍ରଭାବ, ଭାଷାଭାବନା, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ଇତ୍ୟାଦି କ୍ଷେତ୍ରରେ ନାନା ସମସ୍ୟା ଉପୁଜୁଛି । ଏଣୁ ଉତ୍କଳ ସମ୍ମିଳନୀ ସ୍ୱପ୍ନ ଆଜି ସୁଦ୍ଧା ଅଧୁରା ରହିଯାଇଛି ବୋଲି ତିହିଡ଼ି ସମ୍ମାଦ ସାହିତ୍ୟଘର ପକ୍ଷରୁ ଅନୁଷ୍ଠିତ ୮୮ ତମ ଉତ୍କଳ ଦିବସ ପରିପ୍ରେକ୍ଷୀରେ ମତପ୍ରକାଶ ପାଇଛି । ସାହିତ୍ୟଘରର ସଭାପତି ଶଚିକାନ୍ତ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ଯୋଗଦେଇ ଓଡ଼ିଆ ଜାତିର ନବଜାଗରଣର ଆଦ୍ୟପର୍ବକୁ ସ୍ମରଣ କରି ଆଜି ଜାତୀୟ ଅସ୍ମିତା ପ୍ରତିପାଦନରେ ସମୂହ ଉଦ୍ୟମର ଆବଶ୍ୟକତା ଅଛି ବୋଲ କହିଥିଲେ । ସମ୍ମାନିତ ଅତିଥି ଓ ବକ୍ତା ଭାବେ କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ଶିକ୍ଷାବିତ ନିର୍ମଳଚନ୍ଦ୍ର ଦଳାଇ, ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି, କବି ଆଶୁତୋଷ କରଣ, ନୀଳମାଧବ ସେନାପତି, ପୀତାମ୍ବର ସେଠୀ, ମୁକୁନ୍ଦଦେବ ନାୟକ, ପତ୍ରକାର ସୁବାସ ମହାନ୍ତି, ନିତ୍ୟାନନ୍ଦ ସେଠୀ ଯୋଗଦେଇ ଓଡ଼ିଶା ଦିବସ ଉପରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । କବି ଦେବେନ୍ଦ୍ରନାଥ ମହାଳିକ, ନିରଞ୍ଜନ ବାରିକ, ବିସ୍ମୟବିହାରୀ ସାହୁ, କବୟତ୍ରୀ ରୁବିଲତା ଦାସ ଜାତୀୟବାଦୀ କବିତାପାଠ କରିଥିଲେ । ତିହିଡ଼ି ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ରଞ୍ଜନ ନାୟକ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ । ସମ୍ବାଦର ତିହିଡ଼ି ପ୍ରତିନିଧି ତଥା ସାହିତ୍ୟଘରର ଆବାହକ ପ୍ରଭାତ କୁମାର ରାଉଳ ମଞ୍ଚଆହ୍ୱାନ କରିଥିବା ବେଳେ ସମ୍ପାଦକ ଗାଳ୍ପିକ କୈଳାସ ବେହେରା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଦସ୍ୟ ତପନ କୁମାର ହାତୀ ଧନ୍ୟବାଦ ଅର୍ପଣ କରିଥିଲେ ।
