ସ୍ତ୍ରୀକୁ ଆକ୍ରମଣ ସହ ଲୁଟ୍, ସ୍ୱାମୀ ଗିରଫ
କଟକ : ସ୍ତ୍ରୀକୁ ଆକ୍ରମଣ କରିବା ସହ ଟଙ୍କା ଓ ଅଳଙ୍କାର ଲୁଟ କରି ନେବା ଅଭିଯୋଗରେ ଜଗତପୁର ପୋଲିସ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମାର୍ଜିତାପୁରର ଦୁର୍ଗା ଚରଣ ବେଜ(୨୭) । ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ତ୍ରନାଥସାହିର ଲିସା ବେହେରା ଗତ ୪ ତାରିଖରେ ଅଭିଯୋଗ କରିଥିଲେ ଯେ, ଗତ ୧ ତାରିଖ ତାଙ୍କ ସ୍ୱାମୀର ମାଡରେ ତାଙ୍କ କାନରେ ଆଘାତ ଲାଗି ରକ୍ତ ବାହାରିଥିଲା ଓ ଏସସିବିରେ ଚିକିତ୍ସିତ ହୋଇଥିଲେ । ପରେ ଗତ ୩ ତାରିଖରେ ମଧ୍ୟାହ୍ନ ଭୋଜନ ପରେ ଶୋଇପଡିଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କର ମୋବାଇଲ, ୪୦ ହଜାର ଟଙ୍କା, ୨ ହଳ କାନଫୁଲ, ୩ଟି ସୁନା ମୁଦି ଓ ଗୋଟିଏ ଚେନ ନେଇ ଫେରାର ହୋଇଯାଇଥିଲେ । ଲିସାଙ୍କ ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଲିସା ପୂର୍ବରୁ ମଧ୍ୟପ୍ରଦେଶର ଉମେଶ ବେହେରାଙ୍କୁ ବିବାହ କରିଥିଲା ଓ ପାରିବାରିକ କଳହ ପରେ ନିଜ ମାଆ ସହ ତ୍ରିନାଥସାହିରେ ରହୁଥିଲା । ଏହି ସମୟରେ ଦୁର୍ଗା ଲିସାର ସଂସ୍ପର୍ଶରେ ଆସିଥିଲା ଓ ୨୦୨୧ରେ ଉଭୟରେ ବାଙ୍ଗାଲୋର ପଳାଇ ବିବାହ କରିଥିଲେ । ୫/୬ ମାସ ପରେ ଓଡିଶା ଫେରି ଉଭୟେ ଲିସାଙ୍କ ମାଆଙ୍କ ସହ ତ୍ରିନାଥ ସାହିରେ ରହୁଥିଲେ । ଦୁର୍ଗା ମଧ୍ୟ ପୂର୍ବରୁ ବିବାହିତ ଓ ତାଙ୍କର ଏକ ୫ ବର୍ଷର ପୁଅ ମଧ୍ୟ ଅଛି । ବିଗତ କିଛି ଦିନ ହେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା ବେଳେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା । ଗତକାଲି ଅଭିଯୁକ୍ତକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।
