ଟ୍ବିନ୍ ସିଟିରେ ଘନ କୁହୁଡ଼ିର ଆସ୍ତରଣ, ଯାତାୟତ ପ୍ରଭାବିତ
ଭୁବନେଶ୍ୱର : ରାଜ୍ୟରେ ନାହିଁ ଶୀତ। କିନ୍ତୁ ରାଜ୍ୟରେ ଘନ କୁକୁଡ଼ିର ଆସ୍ତରଣ । ଜନଜୀବନକୁ ପ୍ରଭାବିତ କରୁଛି କୁହୁଡ଼ି । ଆଜି ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । କିଛି ମିଟର ଦୂରରୁ ଦେଖିବା କଷ୍ଟକର ହୋଇଛି । ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ଲାଇଟ୍ ଦେଇ ଗାଡି ଚଳାଉଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଆଜି କୁହୁଡ଼ି ପାଇଁ ୭ ଜିଲାକୁ ୟେଲୋ ୱାର୍ଣ୍ଣିଂ ଦେଇଥିଲା ପାଣିପାଗ ବିଭାଗ । ଗତ କିଛି ଦିନ ହେବ ରାଜ୍ୟରେ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ତେବେ କୁହୁଡ଼ି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ଗାଡ଼ି ଚଳାଇବା ବେଳେ ସତର୍କ ରହିବା ପାଇଁ ପରାମର୍ଶ ପୂର୍ବରୁ ଦିଆଯାଇଛି । ଅନ୍ୟପଟେ ଏଣିକି ରାତିର ତାପମାତ୍ରା ହ୍ରାସ ପାଇବ । ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରି କମିବାକୁ ଥିବାରୁ ଶୀତର ପ୍ରକୋପ ପୁଣିଥରେ ବୃଦ୍ଧି ପାଇବ ।
ସେହିପରି ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୯ ତାରିଖ ଯାଏ ହାଲୁକା ବର୍ଷା ହୋଇପାରେ । ସେହିପରି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁରର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବୁଧବାର ପୁରୀରେ ସାମାନ୍ୟ ବର୍ଷା ହୋଇଛି । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା । କୋରାପୁଟରେ ୯.୨ ଓ କିରେଇରେ ରାତି ସମୟରେ ୧୦ ଡିଗ୍ରୀ ତାପମାତ୍ରା ରହିଥିଲା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଅଧିକ ରହିବାକୁ କମ୍ ଶୀତ ଅନୁଭୂତ ହୋଇଥିଲା ।
