ପୂର୍ଣ୍ଣକୁମ୍ଭ ଉତ୍ସବରେ ଡାକ୍ତର ଦୀନବନ୍ଧୁ ସମ୍ବର୍ଦ୍ଧିତ
କଟକ : ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମିଳନୀରେ ଓଡିଆ ଭାଷା ଓ ସଂସ୍କୃତିର ବାର୍ତ୍ତାବହ ଆଧ୍ୟାତ୍ମିକ ପତ୍ରିକା ‘ପୂର୍ଣ୍ଣକୁମ୍ଭ’ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ତଥା ଡି.ଲିଟ୍ ପ୍ରାପ୍ତ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ଯୋଗଦେଇ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତି ପାଇଁ ମଣିଷ ଆରୋଗ୍ୟ ଓ ସୁସ୍ଥ ରହିବା ନିହାତି ଆବଶ୍ୟକ ବୋଲି ପ୍ରକାଶ କରି ସତ୍ ଚିନ୍ତା, ସତ୍ କର୍ମ, ପ୍ରେମ, ବିଶ୍ୱାସ, ଦୟା, ନିଷ୍ଠା ଓ ପରୋପକାର ଆଦି ସମସ୍ତ ଦିବ୍ୟଗୁଣ ସମ୍ପନ୍ନ ହେବା ପାଇଁ ଆମ୍ଭେମାନେ ଶପଥ ନେବା ଆବଶ୍ୟକ ବୋଲି କହିଥିଲେ । ସାହିତ୍ୟିକ ପ୍ରଫୁଲ୍ଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାମଚନ୍ଦ୍ର ରାଉତ, ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ମୀନକେତନ ଦାସ, ପୂର୍ଣ୍ଣକୁମ୍ଭର ସଂପାଦକ ବିଦ୍ୟାଧର ଖଟୁଆ, ଡଃ ସଂଗ୍ରାମ ସାମନ୍ତରାୟ, ଓଡିଶା ଖଣି ନିଗମର ମ୍ୟାନେଜର ଭରତ ଚରଣ ବେହେରା, ବାହାଦୁର ପାଟ୍ଟଶାଣୀ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ପତ୍ରିକାର ଆବଶ୍ୟକତା ଉପରେ ନିଜସ୍ୱ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଦୀର୍ଘ ୪ ଦଶନ୍ଧି ଧରି ଆୟୁର୍ବେଦ ଚିକିତ୍ସାର ପ୍ରସାର ପାଇଁ ସାହିତ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରି ୧୦୦ରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟ ପୁସ୍ତକ ରଚନା କରିଥିବାରୁ ଡାକ୍ତର ଦୀନବନ୍ଧୁ ମହାରଣାଙ୍କୁ ପୂର୍ବତନ ମନ୍ତ୍ରୀ ଡଃ ଯୋଗେଶ ଚନ୍ଦ୍ର ରାଉତ ସ୍ମୃତି ସମ୍ମାନ, ମାନପତ୍ର ଓ ଉପଢୈାକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା ।
