ଭୁବନେଶ୍ୱରରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଂଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କର୍ମକ୍ଷେତ୍ରରେ ଯୋଗ ଦେବାବେଳେ ଦାୟିତ୍ୱ ଓ କର୍ତବ୍ୟକୁ ପାଥେୟ କରନ୍ତୁ ଯୁବ
ଚାକିରି ନୁହେଁ, ନିବନିଯୁକ୍ତ ଯୁବସାଥୀମାନେ ୧୩୦ କୋଟି ଭାରତୀୟଙ୍କ ସେବା କରିବାର ସୌଭାଗ୍ୟ ପାଇଛନ୍ତି
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ ମଙ୍ଗଳବାର ଦିନ ସ୍ଥାନୀୟ ରେଳ ଅଡିଟୋରିୟମ ଠାରେ ରାଜ୍ୟରେ ରୋଜଗାର ମେଳାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବା ସହ ୩୮୪ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି ।
ନୂତନ ଭାବେ ନିଯୁକ୍ତ ପାଇଥିବା ଯୁବକ ଯୁବତୀମାନେ କର୍ମକ୍ଷେତ୍ରରେ ଯୋଗ ଦେବା ସମୟରେ ନିଜର ଦାୟିତ୍ୱ ଓ କର୍ତବ୍ୟକୁ ପାଥେୟ କରନ୍ତୁ ବୋଲି ଏହି ଅବସରରେ ସେ କହିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ଯୁବକମାନେ କାର୍ଯ୍ୟରେ ଯୋଗଦେବା ପାଇଁ ଯିବା ବେଳେ ନିଜର ‘କର୍ତବ୍ୟ ପଥ’କୁ ସବୁବେଳେ ମନେ ରଖିବା ଆବଶ୍ୟକ । ଆଜି ଏଠାରେ ଉପସ୍ଥିତ ଯୁବସାଥୀମାନେ ସର୍ବୋପରି ଦାୟିତ୍ୱ ଓ କର୍ତବ୍ୟକୁ ପାଥେୟ କରନ୍ତୁ ।
ଆଜି ନିଯୁକ୍ତିପତ୍ର ପାଇଥିବା ଯୁବସାଥୀମାନେ ଆସାମ ରାଇଫଲ୍ସ, ଏମ୍ସ ଭୁବନେଶ୍ୱର, ବିଏସଫ, ସିଆଇଏସଏଫ, ରେଳ, ଇଏସଆଇସି, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ, ଆଇଆଇଟି ଭୁବନେଶ୍ୱର, ଇନକମ ଟ୍ୟାକ୍ସ, ଆଇଟିବିପି, ଡାକ ବିଭାଗ, ରାଉରକେଲା ଷ୍ଟିଲ ପ୍ଲାଂଟ, ସଶସ୍ତ୍ର ସୀମା ବଳ ଓ ବ୍ୟାଙ୍କ ସମୂହରେ କାମ କରିବାର ସୁଯୋଗ ପାଇଛନ୍ତି । ଆଜିର ନିଯୁକ୍ତି ମାଧ୍ୟମରେ ୧୩୦ କୋଟି ଭାରତୀୟଙ୍କ ସେବା କରିବା ଭଳି ଗୁରୁ ଦାୟିତ୍ୱ ଯୁବସାଥୀଙ୍କ ହାତରେ ନ୍ୟସ୍ତ କରାଯାଇଛି । ଚାକିରି ନୁହେଁ, ନିବନିଯୁକ୍ତ ଯୁବସାଥୀମାନେ ୧୩୦ କୋଟି ଭାରତୀୟଙ୍କ ସେବା କରିବାର ସୌଭାଗ୍ୟ ପାଇଛନ୍ତି ।
