ଲେଡି ବ୍ଲକମେଲର ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର ଜବତ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲକମେଲର ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାରକୁ ଜବତ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ପରିତ୍ୟକ୍ତ ଅବସ୍ଥାରେ ଠାବ । ପ୍ରଥମେ କାରକୁ ନେବା ପାଇଁ ଟୋଇଂ କାର ଡକାଯାଇଥିଲା । ହେଲେ କାର ପାର୍କିଂ ମୋଡରେ ଥିବାରୁ ନେବା ସମ୍ଭବପର ହୋଇନଥିଲା । ପରେ କାରକୁ ନେବା ପାଇଁ ବିଶେଷଜ୍ଞ ଦଳକୁ ଡକାଇଥିଲେ ଇଡି ଅଧିକାରୀ ।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ସଫଳତା । ଦୀର୍ଘ ଦିନ ଧରି ନିଖୋଜ ଥିବା ଏଣ୍ଡେଭର କାର୍ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଠାବ ହୋଇଛି । ପରିତ୍ୟକ୍ତ ଅବସ୍ଥାରେ ଏହି କାର ଥିବା ବେଳେ ଏହାର ନମ୍ବର ପ୍ଲେଟ ନାହିଁ। କାରର ଆଗ କି ପଛ ନମ୍ବର ପ୍ଲେଟ ନାହିଁ । ସେ ଗାଡ଼ି ଅର୍ଚ୍ଚନା ନାଗଙ୍କର ବୋଲି ଅନୁମାନ କରାଯାଉଥିଲା । ପରେ ଇଡିର ଅଧିକାରୀ ମାନେ ସେଠାରେ ପହଞ୍ଚି ଇଞ୍ଜିନ ଓ ଚେସିସ ନମ୍ବର ଯାଞ୍ଚ କରିବା ପରେ ତାହା ଅର୍ଚ୍ଚନାଙ୍କ ଏଣ୍ଡେଭର ବୋଲି ସ୍ପଷ୍ଟ ହୋଇଛି । ଏହି କାରଟି ଜଣେ ନେତା ଅର୍ଚ୍ଚନାକୁ ଉପହାର ଦେଇଥିଲେ ବୋଲି ଜଣାପଡିଛି ।
ସୂଚନା ଯେ, ଅର୍ଚ୍ଚନା ଗିରଫ ହେବା ପରେ ନିଖୋଜ ହୋଇଯାଇଥିବା ତାଙ୍କ ଏଣ୍ଡେଭର କାରକୁ ଜବତ କରିବା ଇଡି ପାଇଁ ବଡ ଚାଲେଞ୍ଜ ଥିଲା । ଏହି ସମୟରେ ଶନିବାର ରାତି ସାଢେ ୧୦ଟା ବେଳେ ଖବର ମିଳିଥିଲା, ମଂଚେଶ୍ୱର ରୟାଲ କଲେଜ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଏକ ଏଣ୍ଡେଭର କାର ପଡି ରହିଛି । ମଂଚେଶ୍ୱର ରୟାଲ କଲେଜ ନିକଟ ନିଛାଟିଆ ସ୍ଥାନରେ ଗାଡିଧୁଳି ଧୂସରିତ ହୋଇ ଗାଡି ପଡିରହିଥିଲା । ଗାଡ଼ିର ନମ୍ବର ପ୍ଲେଟ ନଥିଲା । ସନ୍ଦେହ କରି ସ୍ଥାନୀୟ ଲୋକେ ଗାଡି ବାବଦରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ଇଡିର ଅଧିକାରୀମାନେ ଘଟଣାସ୍ଥଳରେ ପଂହଚିଥିଲେ । ଗାଡିର ଛାନଭିନ କରାଯାଇଥିଲା । ହେଲେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଗାଡିର ଡୋର ଖୋଲିପାରିନଥିଲେ । ଏହାପରେ ଏକ୍ସପର୍ଟ ଟିମକୁ ଡକାଇଥିଲେ ଇଡି ଅଧିକାରୀ । ଫୋର୍ଡ କଂପାନୀର ଏଣ୍ଡେଭର କାର ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ହୋଇଥିବାରୁ ଡୋର ଖୋଲିବା ସମ୍ଭବ ନଥିଲା । ଇଡି ଅଧିକାରୀ ଗାଡିର ଚେସିସ ଓ ଇଂଜିନ ନଂବର ଯାଂଚ କରିଥିଲେ । ଏହାପରେ ସେହି ନମ୍ବରକୁ ହ୍ୱାଟସଆପରେ ପଠାଇ ପୁଷ୍ଟି କରିଥିଲେ ଗାଡି କାହା ନାଁରେ ରହିଛି । ସେପଟୁ ମେସେଜ ଆସିବା ପରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏଣ୍ଡେଭର ଗାଡିଟି ଅର୍ଚ୍ଚନାଙ୍କର ବୋଲି ସ୍ପଷ୍ଟ କରିଥିଲେ ଇଡି ଅଧିକାରୀ ।
