ଅର୍ଚ୍ଚନା ନାଗ ମାମଲାରେ ବ୍ୟବସାୟୀଙ୍କୁ ଇଡିର ଜେରା; ହାଜର ହେଲେ ଅକ୍ଷୟ ପରିଜା
ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲାରେ ବ୍ୟବସାୟୀ ଅମୀୟ ଦାସଙ୍କୁ ଦୀର୍ଘ ୮ ଘଂଟା ଜେରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) । ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଅମୀୟ ଦାସ ୭ ଲକ୍ଷ ଟଙ୍କା ଦେଇଥିବା ନେଇ ଗଣମାଧ୍ୟମ ଆଗରେ କହିଛନ୍ତି । ଜଗବନ୍ଧୁଙ୍କ ଦେହ ଖରାପ ଥିବା ବେଳେ ଟଙ୍କା ମାଗିଥିଲେ ଅର୍ଚ୍ଚନା । ୨୦୨୧ – ୨୨ରେ ଲକ୍ଷାଧିକ ଟଙ୍କା କାରବାର ନେଇ ସମନ ପାଇବା ପରେ ହାଜର ହୋଇଥିଲେ ଅମୀୟ । ସେ କହିଛନ୍ତି ଯେ, ଫେସବୁକ୍ ମାଧ୍ୟମରେ ସେ ଅର୍ଚ୍ଚନାଙ୍କ ସହ ପରିଚିତ ହୋଇଥିଲେ ।
ସେହିପରି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ମଙ୍ଗଳବାର ଦିନ ୨ଟାରେ ଇଡିରେ ହାଜର ହୋଇଥଲେ । ଇଡିର ନୋଟିସ୍ ଅନୁଯାୟୀ ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜା ଇଡିରେ ହାଜର ହୋଇନଥିଲେ । ତାଙ୍କ ଓକିଲ ଆକାଶ ଭୂୟାଁ ଅକ୍ଷୟଙ୍କୁ ଆଉ କିଛି ଦିନ ସମୟ ଦେବାକୁ ଆବେଦନ କରିଥିଲେ ।
ସୂଚନାଯୋଗ୍ୟ, ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରି ୩ କୋଟି ଟଙ୍କା ମାଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି । ଅର୍ଚ୍ଚନା ବିରୋଧରେ ଥାନାରେ ଅକ୍ଷୟ ପରିଜା ଦେଇଥିବା ଏତଲା ଅନୁସାରେ ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ । ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଥିବା କହିଥିଲା । ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଧମକାଇଥିଲା । ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା ।
