ଦୁଇ କୁଖ୍ୟାତ ଲୁଟେରା ଗିରଫ; ୯୦ଟି ଦାମୀ ମୋବାଇଲ ଫୋନ ଜବତ
କଟକ : କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଦୁଇ ଜଣ କୁଖ୍ୟାତ ମୋବାଇଲ ଫୋନ୍ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନେ ଲୁଟିଥିବା ୯୦ଟି ଦାମୀ ଫୋନ୍କୁ ଜବତ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ଝାଡଖଣ୍ଡ ରାଜ୍ୟ ସାହେବଗଂଜ ଜିଲ୍ଲା ରାଜମହଲ ଥାନା ଅନ୍ତର୍ଗତ ବାବୁପୁରର ଶିବ ମାହାତୋ(୨୯) ଓ ସାହେବଗଂଜ ଜିଲ୍ଲା ରାଧାନଗର ଥାନା ଅନ୍ତର୍ଗତ ମନ୍ସା ଚଣ୍ଡିର ଅନୀଲ ଚୈାହ୍ୱାନ(୨୨) । ଉପରୋକ୍ତ ଦୁଇ ଅଭିଯୁକ୍ତ ବିଭିନ୍ନ ମେଳା, ଦୈନିକ ହାଟ ଏବଂ କଟକ ଭୁବନେଶ୍ୱରର ସ୍ଥାନୀୟ ବଜାରରୁ ମୋବାଇଲ ଫୋନ ଚୋରି କରୁଥିଲେ । ସେମାନଙ୍କର ଅନ୍ୟ ଦୁଇ ସହଯୋଗୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ପଣ୍ଡାସାହିରେ ରହୁଥିବା ପୋଲିସ ଜାଣିବାକୁ ପାଇଛି । କଣ୍ଟନମେଣ୍ଟ ଥାନା ଏଏସଆଇ ଅନୱାର ହୁସେନ ଉଭୟ ଅଭିଯୁକ୍ତଙ୍କୁ ଧରି ତଲାସୀ ନେବାରୁ ପକେଟରୁ ୪ଟି ଦାମୀ ମୋବାଇଲ ଫୋନ ମିଳିଥିଲା । ତେବେ ଏହି ମୋବାଇଲ ଫୋନର କୈାଣସି କାଗଜପତ୍ର ବିଷୟରେ ସେମାନେ କିଛି କହିପାରିନଥିବାରୁ ତାହା ଚୋରି ମୋବାଇଲ ଫୋନ ବୋଲି ଜଣାପଡିଥିଲା । ଶିବ ଓ ଅନୀଲକୁ ଗିରଫ କରି ପଚରା ଉଚରା ବେଳେ ସେମାନେ ବିଭିନ୍ନ ଜାଗାରୁ ବହୁ ଫୋନ ଲୁଟି ଶସ୍ତାରେ ଲୋକମାନଙ୍କୁ ବିକୁଥିବା ସ୍ୱୀକାର କରିଥିଲେ । ଅଭିଯୁକ୍ତମାନେ ପଶ୍ଚିମବଙ୍ଗ, ବିହାର ସମେତ ଅନ୍ୟ ରାଜ୍ୟରେ ଏଭଳି ଚୋରି କରୁଥିବା ପୋଲିସ ଜେରା ବେଳେ ଜଣାପଡିଥିଲା । ଉଭୟେ ରହୁଥିବା ଭଡାଘରେ ପୋଲିସ ଚଢାଉ କରି ୯୦ଟି ଦାମୀ ମୋବାଇଲ ଫୋନ ଜବତ କରିଥିଲା । ସେଥିମଧ୍ୟରେ ସାମସଙ୍ଗ ଫୋନ ୧୧ଟି, ଓପ୍ପୋ ୨୧, ରେଡମୀ/ରିଅଲମି ୨୧, ଭିଭୋ ୧୬, ୱାନ ପ୍ଲସ ୨ଟି, ନାରଜୋ ୩ଟି, ପୋକୋ ୬ଟି. ଇକ୍ୟୁ ଗୋଟିଏ, କେଚୋଡା ଗୋଟିଏ, ଇନଫିନିକ୍ସ ଗୋଟିଏ, ମୋଟୋ ୨ଟି, ଆଇଫୋନ ୨ଟି, ନୋକିଆ ଗୋଟିଏ ଏମଆଇ ଗୋଟିଏ ରହିଛି । ସେମାନଙ୍କର ଅପରାଧିକ କାର୍ଯ୍ୟକଳାପର ଅଧିକ ଛାନଭିନ ଜାରି ରହିଥିଲା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିସିପି ସେକ ସରିଫଉଦ୍ଦିନ ସୂଚନା ଦେଇଛନ୍ତି ।
