ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, ୱାଟକୋକୁ ଜାଇକା କାର୍ଯ୍ୟ ହସ୍ତାନ୍ତର ବନ୍ଦ ହେଲା ‘ଓଆଇଏସଆଇପି’ଜଳ, ମଳ ନିଷ୍କାସନ ପ୍ରକଳ୍ପର କାର୍ଯ୍ୟ ଓ ରକ୍ଷଣା ବେକ୍ଷଣ ପାଇଁ ଅର୍ଥ ଦେବେ ରାଜ୍ୟ ସରକାର
କଟକ : କଟକ ସହରରେ ଜଳ, ମଳ ନିଷ୍କାସନ ପାଇଁ ହଜାର କୋଟି ଟଙ୍କା ବ୍ୟୟରେ ଦୀର୍ଘ ଦିନ ଧରି କାର୍ଯ୍ୟ ଶେଷ କରିପାରିନଥିବା ଜାଇକାର ଓଆଇଏସଆଇପି ପ୍ରକଳ୍ପକୁ ରାଜ୍ୟ ସରକାର ବନ୍ଦ କରିଦେଇ ଚାଲିଥିବା ଜାଇକାର ସମସ୍ତ ପ୍ରକଳ୍ପକୁ ୱାଟକୋକୁ ହସ୍ତାନ୍ତର କରିଛନ୍ତି । ବନ୍ଦ ହୋଇଥିବା ସଂସ୍ଥାରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ୱାଟକୋ ଅଧୀନକୁ ପଠାଇଦିଆଯାଇଛି । ଜଳ, ମଳ ନିଷ୍କାସନ ସକାଶେ କାର୍ଯ୍ୟ କରୁଥିବା ଜାଇକାର ବାକିଆ କାମକୁ ଏଣିକି ୱାଟକୋ କରିବ ବୋଲି ରାଜ୍ୟ ସରକାର ତାଙ୍କ ବିଜ୍ଞପ୍ତି ଏଚୟୁଡି ୩୭୦୩/୧୭/୩ରେ ସ୍ପଷ୍ଟ କରିଛନ୍ତି । ଜାଇକା ପ୍ରକଳ୍ପର ପରିଚାଳନା ଓ ରକ୍ଷଣା ବେକ୍ଷଣ ସକାଶେ ଆବଶ୍ୟକ ଅର୍ଥରାଶି ଜାଇକା ବଦଳରେ ରାଜ୍ୟ ସରକାର ୱାଟକୋକୁ ଯୋଗାଇଦେବେ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ସୂଚନା ମୁତାବକ, କଟକ ସହରରେ ଜାଇକା ଅନୁଦାନରେ ଚାଲିଥିବା ଜଳ, ମଳ ନିଷ୍କାସନ ପ୍ରକଳ୍ପର ସମସ୍ତ ନିର୍ମାଣ କାର୍ଯ୍ୟ, କାର୍ଯ୍ୟକାରିତା ଓ ରକ୍ଷଣା ବେକ୍ଷଣ କାର୍ଯ୍ୟ ୱାଟକୋର ନିୟନ୍ତ୍ରଣକୁ ସଂପୂର୍ଣ୍ଣ ଭାବେ ଆସିଯାଇଛି । ଏଣିକି ସହରରେ ଚାଲିିଥିବା ଜାଇକାର ବାକିଆ ନିର୍ମାଣ କାର୍ଯ୍ୟ ଯଥା, ବକ୍ସଡ୍ରେନ, ଓପନ ଡ୍ରେନ ଓ ସ୍ୱେରେଜ୍ ସିଷ୍ଟମର କାର୍ଯ୍ୟ, କାର୍ଯ୍ୟକାରିତା ଓ ତଦାରଖ ୱାଟକୋ କରିବ ବୋଲି ୱାଟକୋର ପ୍ରବନ୍ଧକ ଦେବବ୍ରତ ମହାନ୍ତି ସୂଚନା ଦେଇଛନ୍ତି । ଏ ସଂପର୍କରେ ଗତକାଲି ଅପରାହ୍ନରେ ମହାନଦୀ ବିହାରସ୍ଥିତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ୱାଟକୋର ସିଇଓ ପ୍ରଦୀପ୍ତ କୁମାର ସ୍ୱାଇଁ ଓ ଆଂଚଳିକ ପ୍ରବନ୍ଧକ ଶ୍ରୀ ମହାନ୍ତି ଏବଂ ଜାଇକାର ନିର୍ବାହୀ ଯନ୍ତ୍ରୀ ମନୋରଂଜନ ଜେନା ପ୍ରମୁଖ ଉପସ୍ଥିତ ରହି ଏବେ ଚାଲୁ ରହିଥିବା ଜାଇକାର କାର୍ଯ୍ୟ ଓ ଅଂସପୂର୍ଣ୍ଣ କାର୍ଯ୍ୟକୁ ସଂପନ୍ନ କରିବା ପାଇଁ କି କି ପଦକ୍ଷେପ ନିଆଯାଇପାରିବ ସେନେଇ କମିଶନର ଶ୍ରୀ କଲ୍ୟାଣ ଗୁରୁତ୍ୱାରୋପ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଜାଇକା ପ୍ରକଳ୍ପ ପାଇଁ ପ୍ରାଥମିକ ସ୍ତରରେ ୯୮୦ କୋଟି ଟଙ୍କାର ଅନୁଦାନ ମିଳିଥିବା ବେଳେ ରାଜ୍ୟ ସରକାରଙ୍କ ସିଡ୍ୟୁଲ ଅପରେଟ୍ ଅନୁଯାୟୀ ପ୍ରକଳ୍ପ ପରିମାଣ ବୃଦ୍ଧି ପାଇ ୧୨୦୦ କୋଟି ଟଙ୍କାରେ ପହଂଚିଥିଲା । ପରେ ପୁଣି ଏହି ଅର୍ଥରାଶି ବାରମ୍ବାର ବୃଦ୍ଧି ପାଇବା ସତ୍ୱେ ମଧ୍ୟ ଜାଇକା ଅନୁଦାନରେ କଟକରେ ଚାଲିଥିବା ମଳ, ଜଳ ନିଷ୍କାସନ ପ୍ରକଳ୍ପକୁ ଏପର୍ଯ୍ୟନ୍ତ ଶେଷ କରାଯାଇପାରିନାହିଁ । ଏହି ପ୍ରକଳ୍ପର କାର୍ଯ୍ୟକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ବହୁ ଅସନ୍ତୋଷ ପ୍ରକାଶ ପାଇବା ପରେ ସରକାରୀ ସ୍ତରରେ ଅନୁଧ୍ୟାନ କରାଯାଇ ତ୍ୱରିତ ବେଗରେ କାର୍ଯ୍ୟ ସାରିବାକୁ ଶେଷରେ ୱାଟକୋକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।
