ସିରିଜ ଡକାୟତି ଘଟଣାରେ ଦୁଇ ଗିରଫ କାର, ସ୍କୁଟି, କଫି ମେସିନ, ମାଇକ୍ରୋ ଓଭାନ, ଗ୍ୟାସ ସିଲିଣ୍ଡର, ସାଇକେଲ ସହ ମୋବାଇଲ ଫୋନ୍ ଜବତ
କଟକ : ସିଡିଏ ଫେଜ-୨ ଥାନା ଏକ ସିରିଜ୍ ଡକାୟତି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଡିଜାୟର କାର(ଓଡି-୦୨-ଏଜି-୭୯୮୦, ଗୋଟିଏ ଭେସ୍ପା ସ୍କୁଟି(ଓଡି-୦୫-ଏଜେଡ-୫୩୬୩), ଗୋଟିଏ କଫି ମେସିନ, ଗୋଟିଏ ମାଇକ୍ରୋ ଓଭାନ, ଗୋଟିଏ ଏଚ୍ପି ଗ୍ୟାସ ସିଲିଣ୍ଡର, ୨ଟି ସାଇକେଲ ସହ ଗୋଟିଏ ରେଡମୀ ନୋଟ-୮ ମୋବାଇଲ ଫୋନ୍ ଜବତ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ଲାଲବାଗ ଥାନା ଅନ୍ତର୍ଗତ ଅଲିଶାବଜାର ଗୋପାଳସାହିର ମୂଳବାସିନ୍ଦା ତଥା ପୁରୀଘାଟ ଥାନା ଅନ୍ତର୍ଗତ ଗୋପାଳଜୀଉ ଲେନ ମଠସାହିରେ ରହୁଥିବା ସଂଜୟ ସାହୁ(୩୦) ଓ ପୁରୀଘାଟ ଥାନା ଅନ୍ତର୍ଗତ ଗୋପାଳଜୀଉ ଲେନ ମଠସାହିର ବିଶାଲ ଓରଫ ବୁଧିଆ ନାଏକ(୨୦) । ପୋଲିସ ଠାରୁ ମିଳିଥିବା ଖବର ମୁତାବକ, ଗତ ୯ ଓ ୧୦ ତାରିଖ ବିଳମ୍ବିତ ରାତିରେ କୃଷ୍ଣା ଦ୍ୱିପାୟନଙ୍କ ଘର, ଡ. ଗୋରୀ ଶଙ୍କର ସାହୁଙ୍କ ଫିଜିଓ ସେଣ୍ଟର, ମୋହନ ଚରଣ ଜେନା ଓ ଡ. ପ୍ରଶାନ୍ତ କୁମାର ପରିଡା ଆଦିଙ୍କ ଘରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ପଶିବା ସହ ଛାତ ତାଡି ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ନେଇ ଗତ ୧୦ ତାରିଖରେ ସିଡିଏ ଫେଜ-୨ ଥାନାରେ ଅଭିଯୋଗ ହୋଇଥିଲା । କଟକ ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜୋନାଲ ଏସିପି ଏବଂ ସ୍ପେଶାଲ ସ୍କ୍ୱାଡ ଏହାର ତଦନ୍ତ କରୁଥିଲେ । ତେବେ ବିଭିନ୍ନ ଦିଗରୁ ତଦନ୍ତ କରି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ଏହି ଅଭିଯୁକ୍ତଦ୍ୱୟ କୁଖ୍ୟାତ ଡକାୟତ ହୋଇଥିବା ବେଳେ ଏହିଭଳି ବହୁ ଡକାୟତି ଘଟଣାରେ ସେମାନେ ସଂପୃକ୍ତ ଥିବା ପୋଲିସ ଅନୁସନ୍ଧାନରୁ ଜଣାପଡିଛି ।
