ଜଗତପୁରରେ ଖୁବ୍ ଶୀଘ୍ର ହେବ ମାର୍କେଟ୍ କମ୍ପେ୍ଲକ୍ସ ଓ କଲ୍ୟାଣ ମଣ୍ଡପ ବିଭିନ୍ନ ପ୍ରକଳ୍ପ ପାଇଁ ସିଏମସିର ୯୪ ଲକ୍ଷ ଟଙ୍କା ବ୍ୟୟ ବରାଦ ୪୮ ଓ ୪୯ ନମ୍ବର ୱାର୍ଡ ପରିଦର୍ଶନ କଲେ ମେୟର, କମିଶନର
କଟକ : କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଜଗତପୁରସ୍ଥିତ ଗୋଲେଇ ଛକ ନିକଟରେ ବିସ୍ଥାପିତ ଦୋକାନୀମାନଙ୍କ ସକାଶେ ଏକ ମାର୍କେଟ କମ୍ପେ୍ଲ୍ସ୍ ନିର୍ମାଣ କରାଯିବା ସହ ତ୍ରିନାଥସାହି ନିକଟରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିନେଇ ମେୟର ସୁବାସ ସିଂହ ଓ କମିଶନର ନିଖିଲ ପୱନ କଲ୍ୟାଣ ଆଜି ପୂର୍ବାହ୍ନରେ ୪୮ ଓ ୪୯ ନମ୍ବର ୱାର୍ଡ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ବେଳେ ସ୍ଥାନୀୟ ବିଧାୟକ ସୈାଭିକ ବିଶ୍ୱାଳ, ଡେପୁଟି ମେୟର ଦମୟନ୍ତୀ ମାଝି ଓ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ରଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଜଗତପୁର ଗୋଲେଇ ଛକ ନିକଟରୁ ଇପିକଲ ଛକ ପର୍ଯ୍ୟନ୍ତ ଡ୍ରେନେଜ୍ ଓ ସ୍ୱେରେଜ୍ ବ୍ୟବସ୍ଥା ନଥିବାରୁ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି ଉଭୟେ ଅନୁଧ୍ୟାନ କରିବା ସମୟରେ ଜାଣିପାରିଥିଲେ । ସେଥିପାଇଁ ୯୦ କୋଟି ଟଙ୍କା ବ୍ୟୟରେ ଏକ ସ୍ୱେରେଜ୍ ଓ ଡ୍ରେନେଜ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ବିଶେଷକରି ମାଧପୋଖରୀ ସହ ଅନ୍ୟ ଦୁଇଟି ପୁଷ୍କରିଣୀର ଉନ୍ନତିକରଣ ପ୍ରକ୍ରିୟା ବିଳମ୍ବ ହୋଇଥିବାରୁ ୩ କୋଟି ଟଙ୍କା ବ୍ୟୟରେ ଉକ୍ତ ପୋଖରୀଗୁଡିକର ପୁନରୁଦ୍ଧାର ଓ ଉନ୍ନତିକରଣ କାର୍ଯ୍ୟ କରାଯିବ । ଏନେଇ ଖୁବ ଶ୍ରୀଘ୍ର ଟେଣ୍ଡର ଆହ୍ୱାନ କରାଯିବ ବୋଲି ସ୍ଥାନୀୟ ବିଧାୟକ ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ କହିଛନ୍ତି । ସେହିପରି ତ୍ରିନାଥ ସାହି ନିକଟରେ ୧୭ ଗୁଣ୍ଠ ପରିମିତ ଜମି ଉପରେ ଏକ କଲ୍ୟାଣ ମଣ୍ଡପ କରାଯିବା ସହ ନାନ୍କାର ଗାଁର ମୁଖ୍ୟ ରାସ୍ତା ୧ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟରେ ନବୀକରଣ କରାଯିବ । ଦୁଇଟି ୱାର୍ଡରେ ହେବାକୁ ଥିବା ଉପରୋକ୍ତ ପ୍ରକଳ୍ପଗୁଡିକରେ ମୋଟ୍ ୯୪ କୋଟିରୁ ଊର୍ଦ୍ଧ୍ୱ ଅର୍ଥରାଶି ଖର୍ଚ୍ଚ କରାଯିବ ବୋଲି ଆକଳନ କରାଯାଇଛି ।
