ରୋଗୀ ନ ନେଇ ଅଗ୍ରୀମ ଟଙ୍କା ହଡପ: ଆମ୍ବୁଲାନ୍ସ ଚାଳକ ଗିରଫ
କଟକ : ଅଗ୍ରୀମ ଟଙ୍କା ଫେରସ୍ତ ନ କରିବାରୁ ଜଣେ ଆମ୍ବୁଲାନ୍ସ ଚାଳକଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଆଜି ଗିରଫ କରିବା ସହ ତା’ଠାରୁ ଅଗ୍ରୀମ ନେଇଥିବା ୧୫ଶହ ଟଙ୍କା ଓ ଆମ୍ବୁଲାନ୍ସ ଗାଡି ଜବତ କରିଛି । ଗିରଫ ଅଭିଯୁକ୍ତ କନ୍ଦରପୁର ଥାନା ଅନ୍ତର୍ଗତ ରଘୁନାଥପୁରର ଦିଲ୍ଲିପ ମଲ୍ଲିକ । ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲା ପେଣ୍ଡୁଥି ଥାନା ଅନ୍ତର୍ଗତ ଭେପାଗୁଡାର ଜି ରଭି ତେଜା(୨୫) ତାଙ୍କ ଭାଇ ନରସିଂହମା ମୂର୍ତ୍ତିଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ । ତେବେ ଉନ୍ନତ ଚିକିତ୍ସା ଲାଗି ମେଡିକାଲରେ ଆଇସିୟୁ ଖାଲି ନଥିବାରୁ ସେ ଘରୋଇ ହସ୍ପିଟାଲକୁ ନେବା ପାଇଁ ଏକ ଆମ୍ବୁଲାନ୍ସ ମଗାଇଥିଲେ । ଆମ୍ବୁଲାନ୍ସ ଚାଳକ ତାଙ୍କୁ ୧୫ଶହ ଟଙ୍କା ଅଗ୍ରୀମ ମାଗିଥିଲା ଓ ନେଇଥିଲା । ତେବେ ଆମ୍ବୁଲାନ୍ସଟି କାଜୁଆଲଟି ପଛ ପାଖରେ ପହଂଚିବା ବେଳେ ଶ୍ରୀ ତେଜା ଜାଣିବାକୁ ପାଇଲେ ଯେ, ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଯାଇଛି ଓ ମୃତଦେହକୁ ନେବା ପାଇଁ ପୋଲିସ ଅନୁମତି ଲୋଡା । ତେଣୁ ସେ ଆମ୍ବୁଲାନ୍ସ ଚାଳକଙ୍କୁ ଅଗ୍ରୀମ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲେ । ମାତ୍ର ଚାଳକ ଟଙ୍କା ଫେରାଇନଥିଲା । ଏନେଇ ଶ୍ରୀ ତେଜା ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବା ପରେ ଥାନା ପୋଲିସ ଚାଳକକୁ ଗିରଫ କରିବା ସହିତ ୧୫୦୦ ଟଙ୍କା ଓ ଆମ୍ବୁଲାନ୍ସ(ଓଡି-୦୨-ବି-୮୯୫୧)କୁ ଜବତ କରିଛି । ସୂଚନାଯୋଗ୍ୟ ଯେ, ପୋଲିସ ପକ୍ଷରୁ ଏସସିବି ମେଡିକାଲକୁ ଦଲାଲମୁକ୍ତ କରିବା ନିମନ୍ତେ ଘନ ଘନ ଚଢଉ କରାଯାଇ ଗତ ମେ ମାସ ଠାରୁ ଅକ୍ଟୋବର ଭିତରେ ୧୨ଟି ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।
