ତିରୋଧାନ ଦିବସରେ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ସିଏମସି ପକ୍ଷରୁ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ
ମୋ ଖତ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ ସମାଧିପୀଠର ଉନ୍ନତି ଓ ସୈାନ୍ଦର୍ଯ୍ୟକରଣ ଶିଳାନ୍ୟାସ
କଟକ : ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ଅବସରରେ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ସହ ମଧୁବାବୁଙ୍କ ସମାଧିପୀଠର ଉନ୍ନତି ଓ ସୈାନ୍ଦର୍ଯ୍ୟକରଣ ପାଇଁ ଶିଳାନ୍ୟାସ କରାଯାଇଛି । ଆଜି ସକାଳ ୮ଟା ୩୦ ମିନିଟରେ ସିଏମସି ମେୟର ସୁବାସ ସିଂହ, ଉପ ମେୟର ଦମୟନ୍ତୀ ମାଝି, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କମିଶନର ନିଖିଲ ପୱନ କଲ୍ୟାଣ, ସମ୍ବାଦର ସଂପାଦକ ସୈାମ୍ୟରଂଜନ ପଟ୍ଟନାୟକ, ଡାକ୍ତର ରବିରଞ୍ଜନ ସାହୁଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଗୋରାକବର ଠାରେ ମଧୁବାବୁଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେହିପରି ମଧୁକୁଞ୍ଜ ପାର୍କ ଓ କ୍ୟାଣ୍ମନମେଣ୍ଟ ଛକରେ ଥିବା ମଧୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପୂର୍ବ ଯୋଜନାକୁ ଭିତ୍ତି କରି ମଧୁବାବୁଙ୍କ ସମାଧିସ୍ଥଳର ଉନ୍ନତିକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରାଯାଇଥିଲା । ମେୟର ଶ୍ରୀ ସିଂହ ଏହାର ଶୁଭ ଦେଇଥିଲା ବେଳେ ସିଏମସି କମିଶନର ଶ୍ରୀ କଲ୍ୟାଣଙ୍କ ସମେତ ସମ୍ବାଦର ସଂପାଦକ ସୈାମ୍ୟରଂଜନ ପଟ୍ଟନାୟକ, ଗୋରାକବର ପରିଚାଳନା କମିଟି ତଥା ଖ୍ରୀଷ୍ଟିୟାନ ସମାଜର ପ୍ରତିନିଧି ବିଶପ ଏସ କେ ନନ୍ଦ, ରେଭରେଣ୍ଡ ପରିତୋଷ ରାଉତ, ଅଜୟ କୁମାର ବେହେରା, ରେଭରେଣ୍ଡ ଗୋଲକ ଚନ୍ଦ୍ର ନାୟକ, କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା, ବିକାଶ ରଞ୍ଜନ ବେହେରା ଓ ଅନ୍ୟ କର୍ପୋରେଟରମାନେ ଉପସ୍ଥିତ ଥିଲେ । ସେହିପରି ହରିଣ ପାର୍କ ଅଂଚଳର ମଧୁକୁଞ୍ଜ ପାର୍କ ନିକଟରେ ‘ମୋ ଖତ ବିକ୍ରୟ କେନ୍ଦ୍ର’ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଏମସି ମେୟର ସୁବାସ ସିଂହଙ୍କ ସମେତ ଡେପୁଟି ମେୟର ଦମୟନ୍ତୀ ମାଝି, କମିଶନର ନିଖିଲ ପୱନ କଲ୍ୟାଣ, କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ, ଦିପ୍ତିମୟୀ ମୁଳିଆ, ଲକ୍ଷ୍ମୀପ୍ରିୟା ବେହେରା,ଏ ଶ୍ରୀ ଦେବୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସକାଳ ୯ଟା ୩୦ ମିନିଟରେ ଜୁଡିସିଆଲ ଏକାଡେମୀ ସମ୍ମୁଖ ବେଲିଭ୍ୟୁ ଛକ ନିକଟରେ ବହୁମୁଖୀ ମନୋରଂଜନ ପାର୍କର ବିକାଶ, ଫୁଡକୋର୍ଟ ଏବଂ ପାର୍କିଂ ସ୍ଥାନ ସହିତ ଗୋଲେଇ ଛକ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କରାଯାଇଥିଲା । ମେୟର ଶ୍ରୀ ସିଂହଙ୍କ ପୈାରୋହିତ୍ୟରେ ଏହି କାର୍ଯ୍ୟକ୍ରମ ସମାହିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡେପୁଟି ମେୟର ଦମୟନ୍ତୀ ମାଝି, କମିଶନର ନିଖିଲ ପୱନ କଲ୍ୟାଣ, କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ, ମୋନାଲିସା ଦାସ, ଦିପ୍ତିମୟୀ ମୁଳିଆ, ଏ ଶ୍ରୀ ଦେବୀ, ଆରତୀ ସାହୁ, ରିତାଞ୍ଜଳି ବେହେରା ପ୍ରମୁଖ ଯୋଗଦେଇଥିଲେ । ପୂର୍ବାହ୍ନ ୧୦ଟା ୩୦ ମିନିଟରେ ସିଏମସି ପକ୍ଷରୁ ବକ୍ସିବଜାର (ଭଗତ ହଷ୍ଟେଲ) ନିକଟରେ ୬୬ ଶଯ୍ୟା ବିଶିଷ୍ଟ ୱାର୍କିଂ ଓମେନ ହଷ୍ଟେଲର ଶିଳାନ୍ୟାସ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମେୟର ଶ୍ରୀ ସିଂହଙ୍କ ଦ୍ୱାରା ସମାହିତ ହୋଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଡେପୁଟି ମେୟର ଦମୟନ୍ତୀ ମାଝି, କମିଶନର ନିଖିଲ ପୱନ କଲ୍ୟାଣ, ପ୍ରଳୟା ବେଉରା, କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଗୋରା କବର ଉନ୍ନତି କରଣ କାର୍ଯ୍ୟ ପାଇଁ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମକୁ ଦାୟିତ୍ୱ ଦିଆଯିବା ସହ ଏହି କାର୍ଯ୍ୟ ପାଇଁ ମୋଟ ୭୫ ଲକ୍ଷ ୨୯ ହଜାର ୭୯୩ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେହିପରି ୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ କରାଯାଇ ମୋ ଖତ ବିକ୍ରୟ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯାଇଛି । ଏତଦ୍ ବ୍ୟତୀତ ବେଲିଭ୍ୟୁ ଛକ ନିକଟ ପାର୍କ ଓ ଫୁଡକୋର୍ଟ ନିର୍ମାଣ ଲାଗି ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଇ ଓଡିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନକୁ ଏହାର ନିର୍ମାଣ କାର୍ଯ୍ୟ ଦିଆଯାଇଥିଲା ବେଳେ ବକ୍ସିବଜାରସ୍ଥିତ ଭଗତ ହଷ୍ଟେଲ ନିକଟରେ ୬୬ ଶଯ୍ୟା ବିଶିଷ୍ଟ ୱାର୍କିଂ ଓମେନ ହଷ୍ଟେଲ ନିର୍ମାଣ ପାଇଁ ପାଖାପାଖି ୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଓ ଏହାର ନିର୍ମାଣ ଦାୟିତ୍ୱ ଓଏସଆଇସିକୁ ଦିଆଯାଇଛି ।
