ବାରବାଟୀ ଉତ୍ସବ କମିଟି ଓ ଜିଲ୍ଲା ପ୍ରଶାସନର ବାରବାଟୀ ଉତ୍ସବ ପ୍ରସ୍ତୁତି
କଟକ : ପ୍ରତିବର୍ଷ ଭଳି ଚଳିତ ବର୍ଷ ଆସନ୍ତା ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଉପର ବାଲିଯାତ୍ରା ପଡିଆ ବାରବାଟୀ ଦୁର୍ଗ ସମ୍ମୁଖରେ ବାରବାଟୀ ଉତ୍ସବ କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବାରବାଟୀ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବର ସର୍ବାଙ୍ଗୀନ ସଫଳତା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶିବୋ ଟୋପୋଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଭିନ୍ନ ବିଭାଗର ଷ୍ଟଲ ପ୍ରଦର୍ଶନୀ କରାଯିବା ସହ ଭାରତବର୍ଷର ବିଭିନ୍ନ ରାଜ୍ୟରୁ ପ୍ରତିଷ୍ଠିତ କଳାକାରମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବରେ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ, ସାହିତ୍ୟ ଉତ୍ସବ, ୭ ଦିନ ବ୍ୟାପି ଚିତ୍ରକଳା ଶବିର ଓ ପ୍ରଦର୍ଶନୀ, ଫେସନ ସୋ, ଚଳଚ୍ଚିତ୍ର ଉତ୍ସବ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବାରବାଟୀ ଉତ୍ସବ କମିଟିର ସଂପାଦକ ଆଶିଷ କୁମାର ଦାସ ସୂଚନା ଦେବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଆନୁସଙ୍ଗିକ ସହଯୋଗ ଯୋଗାଇଦେବା ନିମନ୍ତେ ଅନୁରୋଧ କରିଥିଲେ । ଏହି ପ୍ରସ୍ତୁତି ବୈଠକକୁ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଜୁଳି ବିଭାଗ, ଜଳ ବିଭାଗ, ପର୍ଯ୍ୟଟନ ବିଭାଗ, ଅଗ୍ନିଶମ ବିଭାଗ, ଓରମାସ, ମଶନଶକ୍ତି ବିଭାଗ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରାଧ୍ୟାପକ ଡ. ସେକ କଲିମୁଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ ।
