ସିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ ଜାରିସନ୍ ଡାଇଗ୍ନୋଷ୍ଟିକ୍ ଉପରେ ୧୫ ହଜାର ଜରିମାନା
କଟକ : ସିଏମସି ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଆଜି ମଙ୍ଗଳାବାଗ ଥାନା ଅଂଚଳରେ ଜବରଦଖଲ ଉଚ୍ଛେଦ କରାଯାଇଛି । ସିଏମସି ଡେପୁଟି କମିଶନର ଅଜୟ ମହାନ୍ତିଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ଟିମ କର୍ମଚାରୀମାନେ ମଙ୍ଗଳାବାଗ ପୋଲିସର ସହାୟତାରେ ଉକ୍ତ ଅଂଚଳରେ ବେଆଇନ ଭାବେ ଗଢିଉଠିଥିବା ଛୋଟବଡ ଦୋକାନକୁ ସଂପୂର୍ଣ୍ଣ ଉଚ୍ଛେଦ କରିଥିଲେ । ବିଶେଷକରି ଏସସିବି ମେଡିକାଲ ନିଉ କାର୍ଡିଓଲୋଜି ନିକଟରେ ସନ୍ ଡାଇଗ୍ନୋଷ୍ଟିକ୍ ନାମକ ଏକ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ବେଆଇନ ଭାବେ ଗାଡି ପାର୍କିଂ କରାଯାଇଥିବାରୁ ଉକ୍ତ ସଂସ୍ଥା ଉପରେ ୧୫ ହଜାର ଟଙ୍କା ଜରିମାନା କରାଯାଇଥିଲା । ସେହିପରି ରାସ୍ତା ଅବରୋଧ କରିଥିବାରୁ ଏକ ଓପୋଲଫେଡ ଦୋକାନ ଉପରେ ମଧ୍ୟ ଜରିମାନା କରାଯାଇଛି । ପ୍ରକାଶ ଥାଉକି, ସିଏମସି ପକ୍ଷରୁ ଏକ ବିଧିବଦ୍ଧ ଯୋଜନା କରାଯାଇ ଫେବୃଆରୀ ୨ରୁ ୭ ତାରିଖ ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଆଜି ପୂର୍ବାହ୍ନରେ ସିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମେଡିକାଲ ରୋଡ୍ରେ ପହଂଚି ବେଆଇନ ଭାବେ ଗଢିଉଠିଥିବା ଏକାଧିକ ଉଠା ଦୋକାନକୁ ଭାଙ୍ଗି ଦେଇଥିଲେ । ଡେପୁଟି କମିଶନର ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏହି ଜବର ଦଖଲ ଉଚ୍ଛେଦ ଜାରି ରହିଥିଲା । ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୁଷଣ ଜେନା, ସିଏମସିର ଏନଫୋର୍ସମେଣ୍ଟ ଇନ୍ଚାର୍ଜ ପଂଚାନନ ପାଲ, ସ୍କ୍ୱାଡର ପ୍ରଫୁଲ୍ଲ କୁମାର ମଙ୍ଗଲ ଓ କଟକ ଡିଷ୍ଟ୍ରିକ୍ଟ ଏନଫୋର୍ସମେଣ୍ଟ ଫୋର୍ସର ୩୦ ଜଣ ସଦସ୍ୟ ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
