୫ ଜଣ କର୍ମଚାରୀଙ୍କୁ ନେଇ ଚାଲିଛି ଜିଲ୍ଲା ବିହନ ନିଗମର କାର୍ଯ୍ୟାଳୟ
କଟକ : କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ଏବେ ବହୁବିଧ ପଦକ୍ଷେପ ଗ୍ରହଣ କରି ଚାଷୀମାନଙ୍କୁ ଉନ୍ନତ କିସମର ଧାନ ବିହନ ସହିତ ମୁଗ, ବିରି, ସୋରିଷ, ସୂର୍ଯ୍ୟମୁଖୀ, ଚିନାବାଦାମ ଆଦି ବିହନକୁ ରିଆତି ମୂଲ୍ୟରେ ଚାଷୀମାନଙ୍କୁ ଯୋଗାଇ ଦେଉଥିବା ବେଳେ ସେସବୁର ସୁବିଧା ଚାଷୀମାନେ ପାଉଛନ୍ତି କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ମୁଖ୍ୟତଃ ନୂଆବଜାରଠାରେ ନୂତନ ଭାବେ ଖୋଲାଯାଇଥିବା ଆଂଚଳିକ ପରିଚାଳକ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ ଯୋଗୁ ଅଫିସକୁ ଆସୁଥିବା ଚାଷୀମାନେ କେଉଁ ପ୍ରକାରର ବିହନ ଯୋଗାଣ କରାଯାଉଛି ତାହା ଜାଣିପାରୁନାହାନ୍ତି । ତେବେ ଏହି କାର୍ଯ୍ୟାଳୟର ଜୋନାଲ ମ୍ୟାନେଜର ବିଭିନ୍ନ ସମୟରେ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟାଳୟ ସହିତ ସମସ୍ତ ୧୪ଟି ଯାକ ବ୍ଲକକୁ ପ୍ରତ୍ୟହ ତୋଫାନୀ ଗସ୍ତ କରୁଥିବା ବେଳେ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂକଟ ଯୋଗୁ ଚାଷୀମାନେ ନିର୍ଦ୍ଦିଷ୍ଟ ତଥ୍ୟ ପାଇପାରୁନାହାନ୍ତି । ଏହି କାର୍ଯ୍ୟାଳୟରେ ମୁଖ୍ୟ ପରିଚାଳକଙ୍କ ସହିତ କେବଳ ଦୁଇ ଜଣ ବରିଷ୍ଠ କିରାଣି ନିଯୁକ୍ତ ହୋଇଛନ୍ତି । କାର୍ଯ୍ୟ ଉପଶମ ପାଇଁ ଆଉ ଦୁଇ ଜଣ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲେ ହେଁ ଚାଷୀମାନେ ନିର୍ଦ୍ଦିଷ୍ଟ ସମୟରେ ତଥ୍ୟ ଓ ସୂଚନା ପାଇପାରୁନାହାନ୍ତି । ଏ ସଂକ୍ରାନ୍ତରେ ଜୋନାଲ ମ୍ୟାନେଜର ଗୈାରହରି ବିଶ୍ୱାଳଙ୍କୁ ପଚାରିବାରୁ ସରକାରଙ୍କ ନୀତି ନିୟମ ଅନୁଯାୟୀ ଆମେ କାର୍ଯ୍ୟ କରୁଛୁ ଓ ନୂତନ ନିଯୁକ୍ତି କେବେ ତାହା ସରକାରଙ୍କୁ ଜଣା ବୋଲି କହିଥିଲେ ।
