ଜାଇକା କାର୍ଯ୍ୟ ସମୀକ୍ଷା କଲେ ନଗର ଉନ୍ନୟନ ବିଭାଗ ସଚିବ ଓ କମିଶନର ପଟ୍ଟାପୋଲ ଓ ବଜ୍ରକବାଟି ବକ୍ସ ଡ୍ରେନ୍ କାର୍ଯ୍ୟ ତଦାରଖ
କଟକ : କଟକ ମହାନଗରରେ ଚାଲିଥିବା ଜାଇକା କାର୍ଯ୍ୟକୁ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥାନାନ୍ ସମୀକ୍ଷା କରିଛନ୍ତି । କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଓ ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣଙ୍କ ସମେତ ଜାଇକାର ଅଧିକାରୀ ଓ ଯନ୍ତ୍ରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଅପରାହ୍ନରେ ଶ୍ରୀ ମାଥିଭାଥାନାନ୍ ବକ୍ସିବଜାର ନିକଟ ପଟ୍ଟାପୋଲରୁ ଚାଲି ଚାଲି ମେରିଆବଜାର ପର୍ଯ୍ୟନ୍ତ ଯାଇ ଚାଲୁ ରହିଥିବା ବକ୍ସ ଡ୍ରେନ୍ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ପରେ ସେ ବଜ୍ରକବାଟି ନିକଟ ବଡ ନାଳର ଚାଲିଥିବା କାର୍ଯ୍ୟ ତଦାରଖ କରିବା ସହ ପ୍ରଫେସରପଡା ନିକଟ ବଡ ନାଳରେ ଚାଲିଥିବା ଜାଇକା କାର୍ଯ୍ୟ ବୁଲି ଦେଖିଥିଲେ । ଜାଇକା ମୁଖ୍ୟ ଯନ୍ତ୍ରୀ, ଅଧିକାରୀ ଓ ସହକାରୀ ଯନ୍ତ୍ରୀମାନଙ୍କ ସହ ସେ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆଲୋଚନା କରି ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ତାଙ୍କ ସହ ସିଏମସି କମିଶନର ଶ୍ରୀ କଲ୍ୟାଣ ଓ ଦାୟିତ୍ୱରେ ଥିବା ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
