ଟ୍ରକ ଟର୍ମିନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
କଟକ : ଗତକାଲି ରାତିରେ ଜଗତପୁର ଟ୍ରକ୍ ଟର୍ମିନାଲରୁ ଜଣେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଏନେଇ ମହିଳାଙ୍କ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା ବେଳେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଂଚି ଘଟଣାସ୍ଥଳର ଅନୁଧ୍ୟାନ କରିଛି । ମୃତଦେହକୁ ଉଦ୍ଧାର କରାଯିବା ପରେ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଜଗତପୁର ଅଂଚଳର କୁନି ସାହୁ ନାମ୍ନୀ ମହିଳା ଗତକାଲି ସନ୍ଧ୍ୟା ସମୟରେ ଘରୁ ବାହାରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଅନେକ ଖୋଜାଖୋଜି ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୋଲିସ ବହୁ ଖୋଜାଖୋଜି କରିବା ପରେ ଆଜି ସକାଳୁ ଜଗତପୁର ବସ୍ ଟର୍ମିନାଲ ନିକଟରୁ ତାଙ୍କର ମୃତଦେହକୁ ଠାବ କରିଥିଲା । ତେବେ କୁନିଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସ୍ୱାମୀ ମଦନ ସାହୁ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏସିପି ଅରୁଣ ସ୍ୱାଇଁଙ୍କ କହିବା ଅନୁଯାୟୀ, ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ କିଛି ତଥ୍ୟ ହାସଲ କରିଛି । ପ୍ରାଥମିକ ଅନୁସନ୍ଧାନରୁ ପିନ୍ଧା ଲୁଗାରେ ହିଁ ଗଳା ଚିପି ହତ୍ୟା କରାଯାଇଥିବା ଜଣାପଡିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ପରେ ସବୁ ଦିଗ ଉପରୁ ପରଦା ହଟିବ ଓ ଦୋଷୀକୁ ଧରାଯିବ ବୋଲି ଏସିପି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।
