ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
କଟକ : ଗତ ୧୧ ତାରିଖରୁ ନିଖୋଜ ଥିବା ଓଡିଶା ମହିଳା କ୍ରିକେଟ ଦଳର ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ସୁଭାଷି ଜଙ୍ଗଲରୁ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ତାଙ୍କର ଏଭଳି ମୃତ୍ୟୁ ପଛରେ କି ରହସ୍ୟ ରହିଛି ସେନେଇ ପୋଲିସ ପକ୍ଷରୁ ଖୋଳତାଡ ଜାରି ରଖିଥିବା ବେଳେ ତାଙ୍କ ବାପା ଗୁଣନିଧି ସ୍ୱାଇଁ ଝିଅକୁ ହତ୍ୟା କରାଯାଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ପ୍ରକାଶ ଯେ, ଗତ ୧୧ ତାରିଖ ରାତିରେ ରାଜଶ୍ରୀ ନିଖୋଜ ହୋଇଥିବା ସଂପର୍କରେ ତାଙ୍କ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ୨୬ ବର୍ଷିୟା ମହିଳା କ୍ରିକେଟ ଖେଳାଳି ରାଜଶ୍ରୀ ପୁଡୁଚେରୀରେ ହେବାକୁ ଥିବା ମ୍ୟାଚ୍ ପାଇଁ ପ୍ରାକ୍ଟିସ୍ ନିମନ୍ତେ କଟକ ବଜ୍ରକବାଟି ରୋଡସ୍ଥିତ ମହାବୀର ଗ୍ୟାଲେକ୍ସିରେ ରହୁଥିଲେ । ତେବେ ଗତ ୧୧ ତାରିଖରେ ସେ ପୁରୀସ୍ଥିତ ଘରକୁ ଯାଇ ବାପାଙ୍କ ସହିତ ଦେଖାକରିବେ ବୋଲି କହି ହୋଟେଲ ଛାଡିଥିଲେ । ତେବେ ତାଙ୍କ ବାପାଙ୍କ ସହିତ ଯୋଗାଯୋଗ କରିବାରୁ ରାଜଶ୍ରୀ ତାଙ୍କ ପାଖକୁ ଯାଇନଥିବା ଜଣାପଡିବା ପରେ କୋଚ୍ ପୁଷ୍ପାଞ୍ଜଳି ଏନେଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାଟିର ତଦନ୍ତ କରି ରାଜଶ୍ରୀଙ୍କ ସ୍କୁଟିକୁ ଗୁରୁଡିଝାଟିଆ ଜଙ୍ଗଲ ପାଖରୁ ଠାବ କରିଥିଲା । ବହୁ ଖୋଜାଖୋଜି ପରେ ସ୍କୁଟି ମିଳିବାର ୨୦୦ ମିଟର ଦୂରତାରୁ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ରାଜଶ୍ରୀଙ୍କୁ କେହି ମାରିଦେଇ ଗଛରେ ଟାଙ୍ଗିଦେଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ରାଜଶ୍ରୀ ଓଡିଶା ମହିଳା କ୍ରିକେଟ ଦଳର ଅଲରାଉଣ୍ଡର ଭାବେ ବେଶ ସୁନାମ ଅର୍ଜନ କରିଥିଲେ । ଅପରପକ୍ଷେ ରାଜଶ୍ରୀଙ୍କ ବାପା ତାଙ୍କ ଝିଅର ମୃତ୍ୟୁ ପାଇଁ ଓଡିଶା କ୍ରିକେଟ ଆସୋସିସନ(ଓସିଏ)କୁ ଦାୟୀ କରିଥିବା ବେଳେ ଓସିଏ ଗଣମାଧ୍ୟମରେ ତା’ର ସ୍ପଷ୍ଟୀକରଣ ରଖିଛି । ଯେଉଁ ଚୟନ ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ଆସୁଛି ତାହା ସଂପୂର୍ଣ୍ଣ ଅମୁଳକ । ପରିବାରବର୍ଗଙ୍କ ଅଭିଯୋଗ ଉପରେ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ପ୍ରତିକ୍ରିୟା ରଖିଛନ୍ତି । ରାଜଶ୍ରୀଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ । ଆମେ ଜଣେ ଓସିଏର ପଞ୍ଜିକୃତ ଖେଳାଳିଙ୍କୁ ହରାଇଲୁ । ଖେଳରେ ହାରଜିତ ଥାଏ । କୈାଣସି ଖେଳାଳି ଏଭଳି ଚରମ ପଦକ୍ଷେପ ନ ନେବାକୁ ସେ ଅନୁରୋଧ କରିଛନ୍ତି । ଚୟନ ପ୍ରକ୍ରିୟାରେ କୈାଣସି ତ୍ରୁଟି ନାହିଁ । ବର୍ତ୍ତମାନର ପ୍ରଦର୍ଶନ, ପୂର୍ବ ରେକର୍ଡକୁ ଆଧାର କରି ଚୟନ କରାଯାଇଥାଏ । ରାଜଶ୍ରୀ ୨୫ ଜଣଙ୍କ ଭିତରେ ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ୧୭ ଜଣଙ୍କ ଭିତରେ ସେ ନଥିଲା । ପ୍ରଥମ ୩ଟି ମ୍ୟାଚ ପାଇଁ ୧୬ ଜଣିଆ ଟିମ ଚୟନ କରାଯାଇଥିଲା ବୋଲି ସେ କହିଛନ୍ତି ।
