ଚଣ୍ଡିମନ୍ଦିର ରୂପାନ୍ତରଣ କାର୍ଯ୍ୟର ତଦାରଖ, ଭଙ୍ଗାଗଲା ପୁରୁଣା ବିଲ୍ଡିଂ ଖୁବ୍ ଶୀଘ୍ର ଆରମ୍ଭ ହେବ
କମର୍ସିଆଲ କମ୍ପେ୍ଲକ୍ସ ନଭେମ୍ବର ସୁଦ୍ଧା ଶେଷ ହେବ ୭୦ କୋଟିର ପ୍ରକଳ୍ପ
କଟକ : ଚଣ୍ଡିମନ୍ଦିର ବିକାଶ ତଥା ରୂପାନ୍ତରଣ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଖୁବ୍ ଶୀଘ୍ର ସେଠାରେ ଏକ କମର୍ସିଆଲ କମ୍ପେ୍ଲକ୍ସ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ପୂର୍ବ ଯୋଜନା ମୁତାବକ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମନ୍ଦିର ପରିସରରେ ଥିବା ପୁରୁଣା ବିଲ୍ଡିଂ ଓ ବାରାକ୍କୁ ଭାଙ୍ଗି ଦିଆଯାଇଛି ବୋଲି ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ କମିଟିର ଅଧ୍ୟକ୍ଷ ତଥା ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ କହିଛନ୍ତି । ଆଜି ପୂର୍ବାହ୍ନରେ କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଶ୍ରୀ ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ନିର୍ମାଣ କାର୍ଯ୍ୟ ତଦାରଖ ସମୟରେ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଏଥିମଧ୍ୟରେ ସେଠାରେ ଥିବା ପୁରୁଣା ଢାଂଚାର ଭଙ୍ଗା କାର୍ଯ୍ୟ ଶେଷ କରାଯାଇ ସେଠାରେ ଥିବା ଜିନିଷପତ୍ରକୁ ସ୍ଥାନାନ୍ତର କରାଯାଇଛି । ମନ୍ଦିର ଷ୍ଟ୍ରଙ୍ଗ ରୁମ ସ୍ଥାନାନ୍ତର କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା ବେଳେ ସେବାୟତ ଓ ପୂଜକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଆଜି ପରିଦର୍ଶନ ବେଳେ ସିଡିଏ ଅଧ୍ୟକ୍ଷ ଶ୍ରୀ ସାମଲ ଗଣମାଧ୍ୟମକୁ କହିଛନ୍ତି । ଆଜି ପୂର୍ବାହ୍ନରେ ଉପରୋକ୍ତ ଅଧିକାରୀମାନେ ଚଣ୍ଡି ମନ୍ଦିରରେ ପହଂଚି କାର୍ଯ୍ୟ ତଦାରଖ କରିବା ସହ ଓବିସିସି ଓ ଆରଏଣ୍ଡବିର ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା ସହ ରୂପାନ୍ତରଣ କାର୍ଯ୍ୟକୁ ଧାର୍ଯ୍ୟ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷକରି ଶୈଳବାଳା ମହିଳା କଲେଜ ଭିତର ଦେଇ ରାସ୍ତା ଡାଇଭର୍ସନ୍ କାମ ଆରମ୍ଭ ହୋଇଯାଇଥିବାରୁ ସେମାନେ ସନ୍ତୁଷ୍ଟି ପ୍ରକାଶ କରିଥିଲେ । ପୂର୍ବରୁ ପାଇପ୍ ଲାଇନ୍ ସ୍ଥାନାନ୍ତର, ବିଦ୍ୟୁତ ଲାଇନ ଟଣା ଆଦି କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ବେଳେ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ କିଭଳି ଶୃଙ୍ଖଳିତ ଢଙ୍ଗରେ ସରିବ ସେନେଇ ପ୍ରଶାସନ ଯଥେଷ୍ଟ ଯତ୍ନବାନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତ । ଅକ୍ଟୋବର ୧୪ରେ ଏକ ଉଚ୍ଚସ୍ତରୀୟ ବୈଠକରେ ଚଣ୍ଡି ମନ୍ଦିର ରୂପାନ୍ତରଣ ଓ ବିକାଶ ପ୍ରକଳ୍ପ କାର୍ଯ୍ୟକୁ ଏକ ସପ୍ତାହ ମଧ୍ୟରେ ଆରମ୍ଭ କରାଯିବ ବୋଲି ନଷ୍ପତି ନିଆଯାଇଥିଲା । ୭୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୨୩ ନଭେମ୍ବର ସୁଦ୍ଧା ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି । ଆଜିର ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଉପରୋକ୍ତ ଅଧିକାରୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ), ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
