ବିଜୁଭବନରେ ସିଏମସି ଓ ସିଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଠନ ହେଲା ୭ ଟିମ୍, ୨୪ ଘଣ୍ଟା କାର୍ଯ୍ୟ କରିବ ଏନଫୋର୍ସମେଣ୍ଟ ସ୍କ୍ୱାଡ୍
କଟକ : ଚୈାଧୁରୀବଜାରସ୍ଥିତ ବିଜୁ ଭବନରେ କଟକ ମହାନଗର ନିଗମ(ସିଏମସି) ଓ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରରେ ଯେଭଳି ବେଆଇନ ନିର୍ମାଣ ଓ ଜବର ଦଖଲ ଗଢିଉଠିଛି ସେସବୁକୁ ଦମନ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ୨୪ ଘଣ୍ଟା କାର୍ଯ୍ୟ କରିବା ପାଇଁ ଏକ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି । ଏହି ଟିମ୍ ଅଧୀନରେ ୭ଟି ଦଳ ରଖାଯାଇଛି । ଯେଉଁମାନେ କି ସପ୍ତାହର ସମସ୍ତ ସାତ ଦିନରେ କେବଳ ଯେ, ଉଚ୍ଛେଦ ଓ ବେଆଇନ ନିର୍ମାଣ ଭଙ୍ଗା କାର୍ଯ୍ୟ କରିବେ ତା’ ନୁହେଁ ମୋଟ ୨୨ଗୋଟି ବିଷୟ ତଦାରଖ କରିବେ । ସେଥିମଧ୍ୟରେ ମୁଖ୍ୟତଃ ହୋଟେଲ, ନର୍ସିଂହୋମ, ବିଭିନ୍ନ ଦୋକାନ, ଲାଇସେନ୍ସ, ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରି, ସିଏମସି ଆଇନ ଭଙ୍ଗ ଆଦି ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଡେପୁଟି କମିଶନର ଅଜୟ କୁମାର ମହାନ୍ତି ସୂଚନା ଦେଇଛନ୍ତି । ପୂର୍ବ ଯୋଜନା ମୁତାବକ ଆଜି ସହରରେ ଜବର ଦଖଲ ଉଚ୍ଛେଦ ଜାରି ରହିଛି । ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ରାଜାବଗିଚା ଓ ଝାଞ୍ଜିରୀମଙ୍ଗଳା ଅଂଚଳରେ ୫ଟି ବେଆଇନ ଦୋକାନ ଓ ଡ୍ରେନ ଉପରେ ଥିବା ୭ଟି ଅସ୍ଥାୟୀ ନିର୍ମାଣକୁ ଭାଙ୍ଗି ଦେଇଛନ୍ତି । ରାସ୍ତା ଅବରୋଧ କରି ବାଲି, ଗୋଡି ବିକୁଥିବା ରାଜାବଗିଚା ଅଂଚଳର ୨ ଜଣଙ୍କ ଉପରେ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି । ଆଜିର ଜବର ଦଖଲ ଉଚ୍ଛେଦ କାର୍ଯ୍ୟରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମୁଖ୍ୟ ଅଜୟ ମହାନ୍ତିଙ୍କ ନେତୃତ୍ୱରେ ପଂଚାନନ ପାଲ, ସିଡିଏ ସହକାରୀ ଏନଫୋର୍ସମେଣ୍ଟ ଅଧିକାରୀ ରଂଜିତ କୁମାର ସ୍ୱାଇଁ, କଟକ ଜିଲ୍ଲା ଏନଫୋର୍ସମେଣ୍ଟ ଫୋର୍ସର ଦୁଇଟି ଦଳ ସହିତ ବାଦାମବାଡି ଥାନା ପୋଲିସ ସାମିଲ ଥିଲେ ।
