ସିଏମସି କମିଶନରଙ୍କ କୁଞ୍ଜବିହାରୀ ଓ ସତ୍ସଙ୍ଗ ହାଇସ୍କୁଲର ନିର୍ମାଣ କାର୍ଯ୍ୟ ତଦାରଖ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ଯୋଜନା
କଟକ : ସହରରେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ତୃତୀୟ ପର୍ଯ୍ୟାୟରେ ଚାଲିଥିବା ଉନ୍ନତିକରଣ କାର୍ଯ୍ୟକୁ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ତଦାରଖ କରିଛନ୍ତି । ଆଜି ମଧ୍ୟାହ୍ନରେ କମିଶନର ଶ୍ରୀ କଲ୍ୟାଣ ୪୨ ନମ୍ବର ୱାର୍ଡ ଅନ୍ତର୍ଗତ ଚାଉଳିଆଗଂଜସ୍ଥିତ କୁଂଜବିହାରୀ ହାଇସ୍କୁଲ ଓ ୫୩ ନମ୍ବର ୱାର୍ଡ ଅନ୍ତର୍ଗତ ଦରଖାପାଟଣାର ସତ୍ସଙ୍ଗ ହାଇସ୍କୁଲରେ ପହଂଚି ଉନ୍ନତିକରଣ କାର୍ଯ୍ୟ ତଦାରଖ କରିବା ସହିତ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ । ବିଶେଷକରି ବିଜ୍ଞାନାଗାର, ଇ-ପାଠାଗାର ଓ ସ୍ମାର୍ଟ କ୍ଲାସ ରୁମ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ବେଳେ ତାଙ୍କ ସହିତ ସିଏମସି ଅଧିକାରୀ, ଯନ୍ତ୍ରୀ ଓ ୪୨ ନଂ କର୍ପୋରେଟର ମିନତି ସାହୁ ଓ ୫୩ନଂ ୱାର୍ଡର ଅରବିନ୍ଦ ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ôଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କମିଶନର ଶ୍ରୀ କଲ୍ୟାଣ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ଦେଖାଦେଉଥିବା ସମସ୍ୟାର ତୁରନ୍ତ ସମାଧାନ କରି ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
