ଜାତୀୟ କନ୍ୟା ସନ୍ତାନ ସପ୍ତାହ ଉପଲକ୍ଷେ ରେଡ଼ିଓ ଉତ୍କଳ ୯୧.୨ ଏଫ୍.ଏମ୍ ଷ୍ଟୁଡ଼ିଓରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
କଟକ : ସମଗ୍ର ଦେଶରେ ଜାତୀୟ କନ୍ୟା ସନ୍ତାନ ସପ୍ତାହ ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହୋଇ ମଙ୍ଗଳବାର ସମାପ୍ତ ହେଉଛି । ଏହି ଉପଲକ୍ଷେ ପୁରୁଷ ତୁଳନାରେ ମହିଳା ମାନଙ୍କର ହାର କମ୍ ରହିଥିବା ପ୍ରତ୍ୟେକ ଜିଲ୍ଲାକୁ ଚିହ୍ନଟ କରି ସପ୍ତାହ ବ୍ୟାପୀ ବହୁବିଧ କାର୍ଯ୍ୟକ୍ରମର ଆୟୋଜନ କରାଯାଉଅଛି । ଏହି ଅବସରରେ ରେଡ଼ିଓ ଉତ୍କଳ ୯୧.୨ ଏଫ୍.ଏମ୍ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତୀ ମହାନ୍ତି କହିଥିଲେ ଯେ କଟକ ଜିଲ୍ଲାରେ ଲିଙ୍ଗ ଅସମାନତା ହାର ଉଦ୍ବେଗ ଜନକ ସ୍ଥିତିରେ ପହଂଚିିଥିବାରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ବିଶେଷ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଅଛି । ୧୯୭୦ ମସିହା ପରେ ଭୃଣ ଚିହ୍ନଟ ହେବାର ବ୍ୟବସ୍ଥା ଉପଲବ୍ଧ ହେବାରୁ କନ୍ୟା ଭୃଣ ହତ୍ୟା ବଢିଯିବା ଫଳରେ ପୁଅଝିଅଙ୍କ ଅନୁପାତ ମଧ୍ୟରେ ସନ୍ତୁଳନ ରଖାଯାଇପାରୁନାହିଁ । ବିଶ୍ୱରେ ଲିଙ୍ଗ ଅନୁପାତ ୧୦୦୦ ମହିଳାରେ ୧୦୧୬ ପୁରୁଷ ଥିବା ବେଳେ ଆମ ଦେଶରେ ୧୦୦୦ ମହିଳାରେ ୧୦୬୮ ପୁରୁଷ ରହିଛନ୍ତି । କିନ୍ତୁ ଆମ ରାଜ୍ୟରେ ୧୦୦୦ ପୁରୁଷରେ ୯୭୯ ମହିଳା ଥିଲାବେଳେ କଟକ ଜିଲ୍ଲାରେ ପ୍ରତ୍ୟେକ ୧୦୦୦ ପୁରୁଷରେ ୯୪୦ ମହିଳା ଜିଲ୍ଲା ପାଇଁ ଉଦ୍ବେଗର କାରଣ ହୋଇଛି । ସେଥିପାଇଁ କଟକ ଜିଲ୍ଲା ତରଫରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶିକ୍ଷା ବିଭାଗ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ,ପଞ୍ଚାୟତିରାଜ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମନ୍ୱୟରେ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଓ ପ୍ରଚଳିତ ଆଇନ ବା ଉପଯୁକ୍ତ କାର୍ଯ୍ୟକାରୀତା ଉପରେ ଗୁରୁତ୍ୱାରୋପ କରାଯାଇଛି ।
