ପୁଣି ଏସସିବିରେ ଅଡୁଆ ପରିସ୍ଥିତି ଅକ୍ସିଜେନ ନ ମିଳିବାରୁ ରୋଗୀ ମୃତ୍ୟୁ ଅଭିଯୋଗ
କଟକ : ବିଶ୍ୱସ୍ତରୀୟ ମେଡିକାଲରେ ପରିଣତ ହେବାକୁ ଯାଉଥିବା ଏସସିବି ମେଡିକାଲ କଲେଜ ଓ ହାସପାତାଳରେ ପୁଣି ଏକ ଅଡୁଆ ପରିସ୍ଥିତି ଉପୁଜିଛି । ଅକ୍ସିଜେନ୍ ନ ମିଳିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ୮୨ ବର୍ଷୀୟ ଭାଗବତ ମହାନ୍ତିଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ସମ୍ପର୍କୀୟମାନେ ବାଲେଶ୍ୱର ମେଡିକାଲରୁ ଆଣି ଗତକାଲି ଏସସିବିରେ ଉନ୍ନତ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଶ୍ୱାସ ଜନିତ ସମସ୍ୟା ପାଇଁ ସେଠାରେ ସେ ଭର୍ତ୍ତି ହୋଇଥିଲେ । କିନ୍ତୁ ଠିକ୍ ସମୟରେ ତାଙ୍କୁ ଅକ୍ସିଜେନ୍ ନ ମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପ୍ରାୟ ଏକ ଘଣ୍ଟା ଧରି ଅକ୍ସିଜେନ ବ୍ୟବସ୍ଥା ହୋଇପାରିନଥିବାରୁ ଭାଗବତଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅପରପକ୍ଷେ, ଏସସିବିରେ ଅକ୍ସିଜେନ ଅଭାବରୁ ରୋଗୀ ମୃତ୍ୟୁ ଉପରେ ପ୍ରତିକ୍ରିୟା ରଖି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି, ଏହି ଘଟଣାରେ ମୈାଖିକ ଅଭିଯୋଗ ହୋଇଛି । ଉଭୟ କାଜୁଆଲଟି ଓ ମେଡିସିନ ବିଭାଗ ମୁଖ୍ୟଙ୍କୁ ଏ ସଂପର୍କରେ ପଚରାଯାଇଛି । ଏନେଇ ଏକ ସ୍ୱତନ୍ତ୍ର କମିଟି ଗଠନ ହୋଇ ଘଟଣାର ଅନୁଧ୍ୟାନ କରୁଛି । ଅବହେଳା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି ।
