ମନ୍ତ୍ରୀ ନବଦାସଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା
କଟକ : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରାଯାଇ ଓଡିଶା ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସୂଚନାଯୋଗ୍ୟ ଯେ, ଗତ ମାସ ୨୯ ତାରିଖରେ ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କ ହତ୍ୟାକୁ ୯ ଦିନ ପୁରିଯାଇଥିବା ବେଳେ ଏଯାବତ୍ ହତ୍ୟାର କାରଣ ଅସ୍ପହ୍ଟ ରହିଛି । ଏହି ହାଇ ପ୍ରୋଫାଇଲ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଂଚକୁ ଦାୟିତ୍ୱ ଅର୍ପଣ କରିଥିବା ବେଳେ ଏହି ତଦନ୍ତ ପ୍ରକ୍ରିୟାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜେ ପି ଦାସ ତଦାରଖ କରୁଛନ୍ତି । ଘଟଣା ଦିନ ହିଁ କ୍ରାଇମବ୍ରାଂଚ ଅତିରିକ୍ତ ମହାନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକାଧିକ ତଦନ୍ତକାରୀ ଅଧିକାରୀ ସେଠାକୁ ଯାଇଥିଲେ । ଏହାପରେ ଏକାଧିକ ଟିମ୍ରେ ବିଭକ୍ତ ହୋଇ ତଦନ୍ତକାରୀ ଅଧିକାରୀମାନେ ଝାରସୁଗୁଡା ଓ ଅଭିଯୁକ୍ତ ଗୋପାଳ ଦାସଙ୍କ ଘର ବ୍ରହ୍ମପୁରଠାରେ ତଦନ୍ତ ଜାରି ରଖିଥିଲେ । ତେବେ ଆଜି ପର୍ଯ୍ୟନ୍ତ କ୍ରାଇମବ୍ରାଂଚ ଗୋପାଳ କାହିଁକି ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କଲା ତାହା ଜାଣିବାରେ ସକ୍ଷମ ହୋଇପାରିନାହାନ୍ତି । ଗୋପାଳ ଗୁଳି ମାରିଥିବା ନେଇ ସ୍ୱୀକାର କରିଥିବା ସଂପର୍କରେ କ୍ରାଇମବ୍ରାଂଚ କହିଥିବା ବେଳେ ହତ୍ୟାର କାରଣ ସଂପର୍କରେ କିଛି କହିନଥିବା ଜଣାଯାଇଛି । ଗୋପାଳକୁ ଗିରଫ କରିବା ପରେ ପ୍ରଥମ ପର୍ଯ୍ୟାୟରେ ୪ ଦିନ ରିମାଣ୍ଡ ସଂପୂର୍ଣ୍ଣ ହୋଇ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ୪ ଦିନ ରିମାଣ୍ଡରେ କ୍ରାଇମବ୍ରାଂଚ ନେଇ ତଦନ୍ତ କରୁଥିବା ଜଣାଯାଇଛି ।
