ପୁଣି ଆରମ୍ଭ ହେବ କଟକ-ଭୁବନେଶ୍ୱର ମହିଳା ବସ୍ ସେବା
ଭୁବନେଶ୍ୱର : କଟକ ଓ ଭୁବନେଶ୍ୱର ମଧ୍ୟରେ ଖୁବଶୀଘ୍ର ମହିଳା ବସ୍ ସେବା ପୁଣି ଆରମ୍ଭ ହେବ । ଏହି ବସ୍ ସେବା ପୁନଃ ଆରମ୍ଭ କରିବାକୁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୩ରେ ରାଜ୍ୟ ସରକାର ଏହି ସେବା ଆରମ୍ଭ କରିଥିଲେ । ସେହି ସମୟରେ ଏହା ବେଶ ଲୋକପ୍ରିୟ ମଧ୍ୟ ହୋଇଥିଲା । କିନ୍ତୁ ଅଜ୍ଞାତ କାରଣରୁ ରାଜ୍ୟ ପରିବହନ ବିଭାଗ ଏହାକୁ ବନ୍ଦ କରିଦେଇଥିଲା ।
ବର୍ତ୍ତମାନ ପରିସ୍ଥିତିରେ କଟକ ଏବଂ ଭୁବନେଶ୍ୱରର ବହୁ ମହିଳା ପାଠ ପଢିବା ହେଉ କିମ୍ବା ଚାକିରି ପାଇଁ ଦୁଇ ସହରକୁ ଯାତ୍ରା କରୁଛନ୍ତି । ଏ ଦୃଷ୍ଟିରୁ ବର୍ତ୍ତମାନ ସ୍ୱତନ୍ତ୍ର ମହିଳା ବସ ସେବା ନିହାତି ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବହୁ ଅଭିଯୋଗ ଆସିଛି । ଏସବୁ ଅନୁଧ୍ୟାନ କରାଯିବା ପରେ ପୁଣିଥରେ କଟକ ଓ ଭୁବନେଶ୍ୱର ମଧ୍ୟରେ ସ୍ୱତନ୍ତ୍ର ମହିଳା ବସ ସେବା ଯୋଗାଇଦେବାକୁ ଯୋଜନା କରାଯାଇଛି । ରାଜ୍ୟ ସଡକ ପରିବହନ ନିଗମ ଏହି ସେବା ଯୋଗାଇବ ।
