ସିଭିଲ ସୋସାଇଟି ପକ୍ଷରୁ ଗଡଖାଇରେ ବେଆଇନ ନିର୍ମାଣକୁ ବିରୋଧ
କଟକ : ଆଜି ପୂର୍ବାହ୍ନରେ ସିଭିଲ ସୋସାଇଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୁରୁ ମହାନ୍ତିଙ୍କ ନେତୃତ୍ୱରେ ଐତିହାସିକ ଗଡଖାଇରେ ବେଆଇନ ଭାବେ ନିର୍ମାଣ ହେଉଥିବା ରାସ୍ତା କାମକୁ ବିରୋଧ କରାଯାଇଛି । ହଜାରେ ବର୍ଷର କଟକ ସହରର ମୂକସାକ୍ଷୀ କିଲ୍ଲା ଦୁର୍ଗକୁ ସୁରକ୍ଷା ଦେଇଆସୁଥିବା ଗଡଖାଇର ପୁନରୁଦ୍ଧାର ଓ ବିକାଶ କରିବା ବଦଳରେ ବେଆଇନ ଭାବେ ଚାରି ଚକିଆ ଗାଡି ଗଲା ଭଳି ମଜଭୁତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ସମସ୍ତ ପ୍ରକାର ନିୟମକୁ ବେଖାତିର କରି କିଏ ଏହି ରାସ୍ତା କାର୍ଯ୍ୟ ପାଇଁ ଅନୁମତି ଦେଲା ଏବଂ ଏଏସଆଇ ଏ ବିଷୟରେ କଣ ପାଇଁ ନିରବ ରହିଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି । ଆଗାମୀ ୧୦ ଦିନ ଭିତରେ ଏହି କାର୍ଯ୍ୟକୁ ଭଙ୍ଗା ନଗଲେ ଶ୍ରୀ ମହାନ୍ତି ଅଦାଲତର ଦ୍ୱାରସ୍ଥ ହେବା ସହିତ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି । ଏହି ପରିପେକ୍ଷୀରେ ଐତିହାସିକ ଗଡଖାଇର ପୁନରୁଦ୍ଧାର ଓ ସଂରକ୍ଷଣ ନିମନ୍ତେ ସହରବାସୀ ଏକଜୁଟ ହେବାକୁ ନିବେଦନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ନିଳଚକ୍ର ସଂପାଦକ ବ୍ରଜ ନନ୍ଦ, ଉତ୍କଳ ସମ୍ମିଳନୀର ସଭାପତି କମରୁଲ୍ ହୁସେନ, ସଂପାଦକ କିଶୋର ମହାନ୍ତି, ଗିରିବାଳା ବେହେରା, କବି ରଂଜନ ମହାନ୍ତି, ଉତ୍କଳ ଭୁଷଣ ରାଉତରାୟ, ନିତ୍ୟାନନ୍ଦ ରାଉତରାୟ, ଧରଣୀଧର ପଣ୍ଡା, ସେକ ଲିଆକତ ଉଦ୍ଦିନ, ଅଶ୍ୱିନୀ ମହାରଣା, ରଶ୍ମିରଂଜନ ମିଶ୍ର, ବିହଙ୍ଗରାଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାମକୁ ବିରୋଧ କରିଥିଲେ ।
