ଆୟ ବହିର୍ଭୂତ ସଂପତି ଠୁଳ ବନ୍ଧାହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ
କଟକ : ଆଜି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀମାନେ ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭଂଜନଗର ଜଳସେଚନ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କୁ ଗିରଫ କରିବା ସହ ତାଙ୍କର ବିଭିନ୍ନ ସ୍ଥାନରେ ରହିଥିବା ଘର ଉପରେ ଚଢଉ କରିଛନ୍ତି । ଶ୍ରୀ ସାହୁ ଭଂଜନଗର ଜଳସେଚନ ବିଭାଗର ବାଘୁଆ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବେଳେ ବେଆଇନ ଭାବେ ବହୁ ଅର୍ଥ ଆଦାୟ କରିଥିବାର ସୂଚନା ପାଇ ଆଜି ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି ଓ ୯ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ସ୍କ୍ୱାଡ୍ ଏକକାଳୀନ ଭାବେ ଗଂଜାମ ଜିଲ୍ଲା ତାଙ୍କ ନିଜସ୍ୱ ବାସଗୃହ ସମେତ ୭ଟି ସ୍ଥାନରେ ଚଢଉ କରିଥିଲେ । ଚଢଉ ବେଳେ ୧ ଲକ୍ଷ ୩୮ ହଜାର ଟଙ୍କା, ବ୍ରହ୍ମପୁରରେ ଥିବା ୩ ମହଲା କୋଠା, ଏକ ଦୁଇ ମହଲା କୋଠା, ଦୁଇଟି ପ୍ଲଟ୍, ୪୦ ଲକ୍ଷ ଟଙ୍କାର ପୋଷ୍ଟାଲ ଇନସ୍ୟୁରାନ୍ସ ଜମା, ଜନୈକ ଠିକାଦାରଙ୍କ ନାମରେ ଥିବା ହୁଣ୍ଡାଇ କାର, ୩ଟି ଦୁଇ ଚକିଆ ଯାନ ଠାବ କରାଯାଇଥିଲା । ତେବେ ସମସ୍ତ ସଂପତିର ମୂଲ୍ୟ ଦେଢ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଶ୍ରୀ ସାହୁଙ୍କୁ ଆଜି ବ୍ରହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି
