ପେସାଦାର ଲୁଟେରା ଗିରଫ, ୭ ବାଇକ ଜବତ
କଟକ : ମଧୁପାଟଣା ଥାନା ପୋଲିସ ଜଣେ ପେସାଦାର ବାଇକ୍ ଲୁଟେରାକୁ ଗିରଫ କରିବା ସହିତ ତା’ ନିକଟରୁ ୭ଟି ବାଇକ ଓ ୨ଟି ସାଇକେଲ ସହିତ ଏକ ମାଷ୍ଟର କି ଜବତ କରିଛି । ଗିରଫ ଅଭିଯୁକ୍ତ ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ବୋଡାସ ଗ୍ରାମର ମୂଳବାସିନ୍ଦା ତଥା ମଙ୍ଗଳାବାଗ ଥାନା ଅଧୀନ ଫ୍ରେଣ୍ଡସ କଲୋନିରେ ରହୁଥିବା ବିନୋଦ ବରାଡ(୨୭) । ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ତାରିଖ ସକାଳ ୧୦ଟାରେ କଟକ ସଦର ଥାନା ଅନ୍ତର୍ଗତ ବ୍ରାହ୍ଣଣ ଝରିଲୋର କୃଷ୍ଣଚନ୍ଦ୍ର ଭୁୟାଁ ତାଙ୍କର ହିରୋ ହୁଣ୍ଡା ସିଡି ଡିଲକ୍ସ (ଓଆର-୦୨-ଏଏକ୍ସ-୬୫୧୦) ଦରଘାପାଟଣା ମଧୁସୂଦନ କୁଣ୍ଡୁଙ୍କ ନିର୍ମାଣାଧୀନ ଗ୍ୟାରେଜରେ ରଖି କିଛି ସମୟ ପରେ ଫେରିଲା ବେଳକୁ ବାଇକ୍ଟିକୁ କେହି ଦୁର୍ବୃତ୍ତଚୋରାଇ ନେଇଥିଲା । ଏନେଇ ଶ୍ରୀ ଭୂୟାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା । ଏହି ଘଟଣାରେ ବିନୋଦର ସଂପୃକ୍ତି ଥିବା ଜଣାପଡିବା ପରେ ପୋଲିସ ତାକୁ ଗିରଫ କରି ପଚରା ଉଚରା କରି ତା ନିକଟରୁ ପୂର୍ବରୁ ଚୋରି କରିଥିବା ୭ଟି ବାଇକ ଓ ୨ ସାଇକେଲ ଜବତ କରିଥିଲା । ବିନୋଦ ଦରଘାପାଟଣା, ରାଜେନ୍ଦ୍ରନଗର, ବିନାୟକଲେନ ଆଦି ବିଭିନ୍ନ ଜାଗାରୁ ଏହି ବାଇକ ଓ ସାଇକେଲ ଚୋରି କରିଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
