ସାନ୍ତାଳି ନବବର୍ଷ ‘ବାହାବଙ୍ଗା’ ପାଳିତ
କଟକ : ସିଡିଏ ସେକ୍ଟର ୧୩ସ୍ଥିତ ବାଲ୍ମିକୀନଗରଠାରେ ସାନ୍ତାଳିମାନଙ୍କର ନବବର୍ଷ ‘ବାହାବଙ୍ଗା’ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦର ସଭାପତି ବୃନ୍ଦାବନ ଦାସ ଆଜାଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ୩ ଦିନ ଧରି ଚାଲିଥିବା ଏହି ଉତ୍ସବରେ କଟକ ବ୍ୟତୀତ ମୟୁରଭଂଜ, ବାଲେଶ୍ୱର, ଭୁବନେଶ୍ୱର ଅଂଚଳରୁ ବହୁ ଆଦିବାସୀ ଭାଇଭଉଣୀମାନେ ଯୋଗଦେଇଥିଲେ । ପ୍ରଥମ ଦିନରେ ଗ୍ରାମଦେବତୀଙ୍କୁ ପୂଜା ଏବଂ ନିମନ୍ତ୍ରଣ କରାଯାଇଥିଲା ବେଳେ ଦ୍ୱିତୀୟ ଦିନରେ ସାନ୍ତାଳିଙ୍କ ପୂଜାସ୍ଥଳ ‘ଜାହେର ଗାଳ’ଠାରେ ଆଦିବାସୀଙ୍କର ମୁଖ୍ୟ ଦେବତା ମାରାଂବୁରୁଙ୍କୁ ପୂଜା କରାଯାଇଥିଲା । ତୃତୀୟ ଦିନରେ ସମସ୍ତ ଆଦିବାସୀ ମହିଳା ଓ ପୁରୁଷ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ନାଚଗୀତ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ରବିନ୍ଦ୍ରନାଥ ସୋରେନ, ଗ୍ରାମ ମାଝିହାଳାମ୍ ଉତ୍ତମ ହାଁସଦା, ମାଝି ବାବା ମଙ୍ଗଲ ମୁର୍ମୁ ଏବଂ ଗ୍ରାମର ବାବା ପିଲ୍ଚୁ ଯୁବକ ସଂଘର କର୍ମକର୍ତ୍ତାମାନେ ଏହି ଉତ୍ସବକୁ ପରିଚାଳନା କରିଥିଲେ । ସୂଚନାଯୋଗ ଯେ, ଏହି ପର୍ବ ଫଗୁଣ ମାସର ପୂର୍ଣ୍ଣମୀ ପୂର୍ବରୁ ୩ ଦିନ ଧରି ପାରମ୍ପରିକ ରୀତିରେ ପାଳନ କରାଯାଇଥାଏ । ଏହି ପର୍ବଟି ଶାଳଗଛ ଏବଂ ମହୁଲ ଗଛରେ ଫୁଲ ଧରିବା ପରେ ପାଳନ କରାଯାଇଥାଏ ।
