ଧାମରା ସଂଘ ପକ୍ଷରୁ ଆଲୋଚକ ଅଧ୍ୟାପକ ଡ. ଅଭୟ କୁମାର ଦାସ ସମ୍ବର୍ଦ୍ଧିତ
ତିହିଡ଼ି : ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ତଥା ବିଶିଷ୍ଟ ଆଲୋଚକ, ନାଟ୍ୟକାର ଓ ସାହିତ୍ୟିକ ଡକ୍ଟର ଅଭୟ କୁମାର ଦାସଙ୍କୁ ରାଉରକେଲା ‘ଧାମରା ସଂଘ’ ପକ୍ଷରୁ ‘ଗଜେନ୍ଦ୍ର ପ୍ରସାଦ ଦାସ ସ୍ମୃତି ପ୍ରତିଭା’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ରାଉରକେଲା ଛେଣ୍ଡ କଲୋନି ମଧୁସୂଦନ ନଗର ସ୍ଥିତ ‘ଧାମରା ସଂଘର’ ୩୪ତମ ବାର୍ଷିକ ଉତ୍ସବ ଅବସରରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂଘର ସଭାପତି ପ୍ରସାନ୍ତ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସାମ୍ବାଦିକ ନରହରି ଦାସ, ସଂଘର ସାଧାରଣ ସମ୍ପାଦକ ଭଗବାନ ରାଉତ, ସହ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ପ୍ରସାଦ ମହାନ୍ତି, ଉପସଭାପତି ଉପେନ୍ଦ୍ର କୁମାର ନାୟକ ଓ ରତ୍ନାକର ବଳ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତକୁମାର ନାୟକ ପ୍ରମୁଖ ଯୋଗ ଦେଇ ଡ. ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସୂଚନା ଯୋଗ୍ୟ ଯେ, ଡ. ଦାସ ଦୀର୍ଘ ଦୁଇଦଶନ୍ଧି ଧରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କ ରଚିତ ‘ପ୍ରେମିକମାନଙ୍କ ସହର’, ‘ମୀରା’, ‘ନେତା’, ‘କଳି କୁରୁକ୍ଷେତ୍ର’, ‘ଆଗାମୀ ଶତାବ୍ଦୀର ନାଟକ’, ‘ଶତାବ୍ଦୀର ସ୍ୱର, ରଫ୍ ଖାତା’, ‘ସୌଭାଗ୍ୟ ବଶତଃ’, ‘ଉପେକ୍ଷିତ ତଥାଗତ’, ‘ଅସବର୍ଣ୍ଣା’, ‘ଜଳଯାତ୍ରା’ ଆଦି ବିଂଶାଧିକ ବୌଦ୍ଧିକ ପରୀକ୍ଷା ମୂଳକ ନାଟକ ଏବଂ ‘ଧର୍ମପଦ’, ‘ଶ୍ମଶାନ ରକ୍ଷକ ହରିଶ୍ଚନ୍ଦ୍ର’, ‘ବନ୍ଧୁ ମହାନ୍ତି’ ଆଦି ମିଥିକ୍ ନାଟକ ଓଡ଼ିଆ ନାଟ୍ୟ ସାହିତ୍ୟକୁ ସମୃଦ୍ଧ କରିବା ଏକ ଅନନ୍ୟ ଦୃଷ୍ଟାନ୍ତ । ଆମ ସମୟର ଜଣେ ସାହିତ୍ୟ ସମୀକ୍ଷକ ଓ ସମାଲୋଚକ ଭାବରେ ‘ସୃଜନ ପଲ୍ଲୀର ଶାଳଗ୍ରାମ : ବ୍ୟାସକବି ଓ କାନ୍ତକବି’, ‘ଲୋକସାହିତ୍ୟ ଓ ଲୋକସମାଜ’ ଗବେଷଣାତ୍ମକ ଗ୍ରନ୍ଥ ତାଙ୍କ ସାଧନା, ନିଷ୍ଠା ଓ ବିଦ୍ବତ୍ତାର ବଳିଷ୍ଠ ପରିଚୟ ଦିଏ । ଜଣେ ଛାତ୍ର ବତ୍ସଳ ଓ କର୍ତ୍ତବ୍ୟ ପରାୟଣ ଅଧ୍ୟାପକ ଭାବରେ ତାଙ୍କର ଖ୍ୟାତି ଆଗାମୀ ପିଢ଼ି ପାଇଁ ଏକ ଅନୁସୃତ ଉଦାହରଣ କରିଛି ।
