ଭଦ୍ରକ ଜିଲାସ୍ତରୀୟ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉଦ୍ଯାପିତ
ଭଦ୍ରକ : ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇଥିବା ଜାତୀୟ ସଡ଼କ ସୁରକ୍ଷା ସପ୍ତାହ-୨୦୨୩ ପାଳନର ଉଦ୍ଯାପନୀ କାର୍ଯ୍ୟକ୍ରମ ଜିଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲା ସ୍ତରୀୟ ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମାଦାସ ଟୁଡ଼ୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ମୂଳକ ସଭାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା । ବେଳେ ଅନ୍ୟତମ ଅତିଥି ଭାବେ ଏ.ଏସ୍.ପି ବିଜୟ କୁମାର କେରକେଟା, ସି.ଡ଼ି.ଓ. ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର ଏବଂ ଏହି କାର୍ଯ୍ୟକ୍ରମର ସଂଯୋଜକ ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଖଗେଶ୍ୱର ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ ।
ସଡ଼କ ସୁରକ୍ଷା ସପ୍ତାହ ପାଳନର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିବାକୁ ଯାଇ ଅତିଥିମାନେ ଏହାର ବିଭିନ୍ନ ଦିଗ ଉପରେ ଉପାଦେୟ ବକ୍ତବ୍ୟ ରଖିଥିଲେ । ସ୍କୁଲ କଲେଜ ପିଲାମାନଙ୍କ ମଧ୍ୟରେ ଗାଡ଼ିଚାଳନା ନେଇ ରାସ୍ତାର ନିୟମ, ଗାଡ଼ି ଚାଳନା ଜନିତ ସତର୍କତା ସମ୍ବନ୍ଧରେ ସଚେତନତାର ଆବଶ୍ୟକ ଅଛି ବୋଲି ସମସ୍ତେ ଏକମତ ହୋଇଥିଲେ ଏବଂ ସଚେତନ ହୋଇ ମଧ୍ୟ ଆବଶ୍ୟକ ସମୟରେ ପ୍ରୟୋଗ ନା କରିବା ସବୁଠୁ ବଡ଼ ପରିତାପର ବିଷୟ ବୋଲି ମତ ପ୍ରକାଶ ପାଇଥିଲା । ବିଶେଷ କରି ୧୮ ବର୍ଷରୁ ୨୫ବର୍ଷ ବୟସ ବର୍ଗର ଯୁବ ଗୋଷ୍ଠୀଙ୍କୁ ଏ ନେଇ ଅଧିକ ସଚେତନ କରାଯିବାର ଆବଶ୍ୟକ ଅଛି । ପିତା, ମାତା, ଅଭିଭାବକ ହିସାବରେ ଆମ ପିଲାମାନଙ୍କୁ ସଡ଼କ ସୁରକ୍ଷା ଜୀବନରକ୍ଷା ସମ୍ବନ୍ଧରେ ସଚେତନ କରିବା ମଧ୍ୟ ଆମ ସମସ୍ତଙ୍କର କର୍ତ୍ତବ୍ୟ । ହେଲମେଟ୍ ପିନ୍ଧିବା, ସିଟ୍ବେଲଟ୍ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଗାଡ଼ିଚାଳନା ବେଳେ ମୋବାଇଲ ବ୍ୟବହାର ନ କରିବା, ଦ୍ରୁତ ବେଗରେ ଗାଡ଼ି ନଚଳାଇବା ଆଦି ଦିଗରେ ସମସ୍ତେ ପୂର୍ଣ୍ଣ ସଚେତନ ଓ ନିୟମ ମାନି ଚଳିଲେ ସଡ଼କ ସୁରକ୍ଷା ଅଭିଯାନ ସଫଳ ହୋଇପାରିବ ବୋଲି ଅତିଥିମାନେ ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ । ସଡ଼କ ସୁରକ୍ଷା ପାଇଁ ଭଲ ରାସ୍ତା, ଗାଡ଼ି ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣା, ଆଧୁନିକ ପ୍ରଯୁକ୍ତି ବିଦ୍ୟାର କୌଶଳ ପ୍ରୟୋଗ କରାଯିବା, ସଡ଼କ ସୁରକ୍ଷା ନିୟମ ପାଳନ ନେଇ କଡ଼ାକଢ଼ି ଧରପଗଡ଼ କରାଯିବାର ମଧ୍ୟ ଆବଶ୍ୟକତା ଅଛି ବୋଲି ପରାମର୍ଶ ପ୍ରଦାନ କରିଥିଲେ । ରୋଟାରିଆନ୍ ଅତିସ୍ ବେହେରା, ସମାଜସେବୀ ଆସିଆନାର ସେକ୍ ସୋଫିଆ, ଗଣମାଧ୍ୟମ ପ୍ରତିନିଧି ଦୁର୍ଗାଶଙ୍କର ବିଶ୍ୱାଳ ପ୍ରମୁଖ ମଧ୍ୟ ଏହି ସଡ଼କ ସୁରକ୍ଷା ଅଭିଯାନର ସଫଳତା ଦିଗରେ ମତାମତ ରଖିଥିଲେ । ଆର୍.ଟି.ଓ. ଶ୍ରୀଯୁକ୍ତ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ ।
