ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତା ବୃଦ୍ଧି କରିବାକୁ ସାଂସଦଙ୍କ ଦାବି
ଭଦ୍ରକ : ଗତକାଲି ସଂସଦର ଶୀତକାଳୀନ ଅଧିବେଶନ ଶୂନ୍ୟକାଳରେ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମଂଜୁର ହେଉଥିବା ଇନ୍ଦିରାଗାନ୍ଧି ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଓ ବିଧବା ଭତାକୁ ୩ ଗୁଣ ବୃଦ୍ଧି ପାଇଁ ସଂସଦରେ ଦାବି କରିଛନ୍ତି । ଏ ବାବଦରେ ସଂସଦର ମାନ୍ୟବର ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶ୍ରୀମତୀ ମଣ୍ଡଳ କହିଥିଲେ ଯେ ଇନ୍ଦିରା ଗାନ୍ଧି ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ୬୦-୭୯ ବୟସର ବାର୍ଦ୍ଧକ୍ୟ ଭତା ବାବଦରେ କେନ୍ଦ୍ରୀୟ ଅଂଶ ୨୦୦ ଟଙ୍କା ଓ ରାଜ୍ୟ ଅଂଶ ୩୦୦ ଟଙ୍କା ମିଶି ମୋଟ ୫୦୦ ଟଙ୍କା, ୮୦ ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତା ବାବଦରେ କେନ୍ଦ୍ରୀୟ ଅଂଶ ୫୦୦ ଟଙ୍କା ଓ ରାଜ୍ୟ ଅଂଶ ୨୦୦ ଟଙ୍କା ମିଶି ମୋଟ ୭୦୦ ଟଙ୍କା । ସେହିପରି ଇନ୍ଦିରା ଗାନ୍ଧି ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ବିଧବା ଭତା ବାବଦରେ କେନ୍ଦ୍ରୀୟ ଅଂଶ ୩୦୦ ଓ ରାଜ୍ୟ ଅଂଶ ୨୦୦ ମିଶି ମୋଟ ୫୦୦ ଟଙ୍କା ଓ ଦିବ୍ୟାଙ୍ଗ ଭତା ବାବଦକୁ କେନ୍ଦ୍ରୀୟ ଅଂଶ ୩୦୦ ଟଙ୍କା ଓ ରାଜ୍ୟ ଅଂଶ ୪୦୦ ମିଶି ମୋଟ ୭୦୦ ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି । ସେହିପରି ପରିବାରର କୌଣସି ବ୍ୟକ୍ତି ଆକସ୍ମିକ ମୃତ୍ୟୁ ଘଟିଲେ ଏକକାଳୀନ ୨୦ ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି । ତେବେ ଦରଦାମ ବୃଦ୍ଧି ହେତୁ ଏହି ଭତା ଅର୍ଥରେ ମାସେ ପାଇଁ ନିଜର ତେଲଲୁଣ ସଂସାର ଚଳାଇବା କଷ୍ଟସାଧ୍ୟ ବୋଲି ସାଂସଦ ଶ୍ରୀମତୀ ମଣ୍ଡଳ ଯୁକ୍ତି ବାଢିଥିଲେ । ଏଥିପାଇଁ କେନ୍ଦ୍ରୀୟ ଅଂଶ ୩ ଗୁଣ ବୃଦ୍ଧି ପାଇଁ ଶ୍ରୀମତୀ ମଣ୍ଡଳ ଦାବି ଉପସ୍ଥାପନ କରିଥିଲେ । ଏହାଦ୍ୱାରା ଅନେକ ଗରିବ ହିତାଧିକାରୀ ଉପକୃତ ହେବା ସହିତ ପରିଣତ ବୟସରେ ସୁଖରେ କାଳାତିପାତ କରିବେ ବୋଲି ସେ କହିଥିଲେ ।
