ମୋବାଇଲ ଲୁଟେରା ଗିରଫ, ୯ ଦାମୀ ମୋବାଇଲ ଫୋନ ଜବତ
କଟକ : ଚାଉଳିଆଗଂଜ ଥାନା ପୋଲିସ ଜଣେ ମୋବାଇଲ ଫୋନ ଲୁଟେରାକୁ ଗିରଫ କରିବା ସହ ତା’ ନିକଟରୁ ୯ଟି ଦାମୀ ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଶୁଣ୍ଢିକାଟେଣିର ଜୀବନ ପ୍ରଦୀପ ବେହେରା(୨୩) । ପୋଲିସ ପ୍ରଦତ୍ତ ସୂଚନା ମୁତାବକ, ଗତ ଅଗଷ୍ଟ ମାସ ୨୪ ତାରିଖରେ କଟକ ନୂଆବଜାରର ଆରଇଓ କଲୋନିର ବାସିନ୍ଦା ମହେଶ ଚନ୍ଦ୍ର ପଣ୍ଡା ନୂଆବଜାର ଅଂଚଳରେ ସନ୍ଧ୍ୟା ବେଳେ ଚାଲି ଚାଲି ଯାଉଥିବା ସମୟରେ କେହି ଦୁର୍ବୃତ୍ତ ବାଇକରେ ଆସି ତାଙ୍କର ଓପ୍ପୋ ରେନୋ ୨ଏଫ ମୋବାଇଲ ଫୋନ ଛଡାଇ ନେଇ ପଳାଇଥିଲା । ଏ ବାବଦରେ ସେ ଚାଉଳିଆଗଂଜ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଚଳାଇ ଉପରୋକ୍ତ ଅଭିଯୁୁକ୍ତକୁ ଗିରଫ କରିବା ସହିତ ସେ ପୂର୍ବରୁ ଲୁଟିଥିବା ୯ଟି ମୋବାଇଲ ଫୋନ ଜବତ କରିଥିଲା । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
