ବାରବାଟୀ ଷ୍ଟାଡିୟମ ସ୍ଥିତି ଅନୁଧ୍ୟାନ କଲେ କ୍ରୀଡା ସଚିବ ଓ ସିଏମସି କମିଶନର
କଟକ : ବିଶ୍ୱକପ୍-୨୦୨୩ ହକିର ଉଦଘାଟନୀ ଉତ୍ସବ କଟକରେ ଆୟୋଜନ ହୋବକୁ ଯାଉଛି । ଜାନୁଆରୀ ୧୧ରେ ଏହି କାର୍ଯ୍ୟକ୍ରମ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହାକୁ ଅଧିକ ସରସ ଓ ସୁନ୍ଦର କରିବା ପାଇଁ ସିଏମସି କମିଶନର ଅଣ୍ଟା ଭିଡିଛନ୍ତି । ସେଥିପାଇଁ ଆଜି ପୂର୍ବାହ୍ନରେ ରାଜ୍ୟ କ୍ରୀଡା ସଚିବ ଆର. ଭିନିଲ କ୍ରିଷ୍ଣା ଓ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତା’ଛଡା ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମକୁ ସଫଳ କରାଇବା ସକାଶେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । କାର୍ଯ୍ୟକ୍ରମ ପୂର୍ବରୁ କଟକ ସହରକୁ ଏକ ନୂଆ ରୂପରେ ପ୍ରସ୍ତୁତ କରିବା ପାଇଁ ଯୋଜନା ଆରମ୍ଭ କରାଯାଇଛି । ସହରର ବିଭିନ୍ନ ଅଂଚଳ ତଥା ରିଙ୍ଗବନ୍ଧର ଉଭୟ ପାଶ୍ୱର୍କୁ ସୈାନ୍ଦର୍ଯ୍ୟକରଣ କରାଯିବ । ଏଥିସହିତ ପାର୍କିଂ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ସଂଗଠିତ କରାଯିବ ବୋଲି କମିଶନର ଶ୍ରୀ କଲ୍ୟାଣ କହିଛନ୍ତି । ପ୍ରକାଶ ଥାଉକି, ପ୍ରଥମ ପର୍ଯ୍ୟାୟରେ ଶିଖରପୁରଠାରୁ ବିଡାନାସୀ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେବ । ରାସ୍ତା ନବୀକରଣ, ମରାମତି, ରଙ୍ଗୀନ ଫୁଟପାଥ ନିର୍ମାଣ, ଡିଭାଇଡର ସୈାନ୍ଦର୍ଯ୍ୟକରଣ ଓ ଆଗନ୍ତୁକଙ୍କ ଉଦ୍ଦେଶ୍ୟରେ ସିମେଣ୍ଟ ବେଂଚ ବ୍ୟବସ୍ଥା ସହ ଅଧିକ ଖାଲି ଥିବା ସ୍ଥାନରେ ପାର୍କ ତଥା ଚିତ ବିନୋଦନ ପଏଣ୍ଟର ବ୍ୟବସ୍ଥା କରାଯିବ । ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମଗୁଡିକ ଯେପରି ଅଧିକ ଆକର୍ଷଣୀୟ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ଷ୍ଟାଡିୟମର ଭିତରପଟକୁ ନବୀକରଣ କରାଯିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ କରାଯିବ ବୋଲି ନିଷ୍ପତି ନିଆଯାଇଛି । ବିଶେଷକରି ବିଶ୍ୱ ଦରବାରରେ ପୁଣି ସଂସ୍କୃତି, ପରମ୍ପରା ଓ କଳାକୁ ସ୍ଥାନିତ କରାଯିବା ସକାଶେ ବିଶେଷ ଧ୍ୟାନ ଦିଆଯିବ । ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ୱତନ୍ତ୍ର ସାଜସଜ୍ଜା କରାଯିବା ସହ ଆଲୋକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ । ବିଭିନ୍ନ ଦେଶର ଖେଳାଳି ଓ ଦର୍ଶକ ଏହି ଉଦଘାଟନୀ ଉତ୍ସବରେ ଯୋଗଦେବାର ରହିଛି, ତା’ଛଡା ବହୁ ସେଲିବ୍ରେଟି ଏହି ଉତ୍ସବରେ ଯୋଗଦେବେ ବୋଲି କମିଶନର ଶ୍ରୀ କଲ୍ୟାଣ କହିବା ସହ କାର୍ଯ୍ୟକ୍ରମକୁ ଜିରୋ ଉସ୍ୟୁ ଇଭେଣ୍ଟ ଭାବେ ଶେଷ କରିବାକୁ ପ୍ରଶାସନ ବିଶେଷ ଗୁରୁତ୍ୱ ଦେଉଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ପୂର୍ବରୁ କଟକ ସହରର ଦଶହରା ଓ ବାଲିଯାତ୍ରାକୁ ପ୍ରଶାସନ ସଫଳତାର ସହ ପାଳନ କରିବାକୁ ସମର୍ଥ ହୋଇଛି ଏବଂ ସହରକୁ ଗିନିଜ୍ ୱାର୍ଲଡ ରେକର୍ଡରେ ଅନ୍ତର୍ଭୁକ୍ତ କରାଇ ପାରିଥିବାରୁ ନିଶ୍ଚିତ ଭାବେ ଏହାକୁ ଏକ ଚାଲେଞ୍ଜ ଭାବେ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିବୁ ବୋଲି କମିଶନର ଆଶା ପ୍ରକାଶ କରିଛନ୍ତି । ଏହି ପରିଦର୍ଶନ ସମୟରେ କଟକ ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
