ଭଦ୍ରକ : ସମସ୍ତଙ୍କ ଠାରେ ବିଶେଷ କରି ମା ଓ ଶିଶୁମାନଙ୍କ ଠାରେ କୁପୋଷଣ ବା ଅପପୁଷ୍ଟିକୁ ଦୂରେଇବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗତ ମାର୍ଚ୍ଚ ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ରାଜ୍ୟ ତମାମ୍ ଆରମ୍ଭ କରାଯାଇଥିବା ପୋଷଣ ପକ୍ଷ ପାଳନ ଅବସରରେ ଭଦ୍ରକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ତଥା ପ୍ରୋଗ୍ରାମ ଅଫିସର ଚନ୍ଦ୍ରା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ମୁଖ୍ୟ ଅତିଥି ଭାବେଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଏବଂ ସଂଯୋଜକ ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା ଏଥିରେ ଯୋଗ ଦେଇ ନିଜ ଘରୁ, ଗାଁରୁ , ବ୍ଲକ୍ରୁ ଏବଂ ସମଗ୍ର ଜିଲ୍ଲାରୁ କୁପୋଷଣକୁ ଦୂରେଇ ସମସ୍ତଙ୍କ ପାଇଁ ସୁପୋଷଣ ନିମନ୍ତେ ସଚେତନତା ବିଭିନ୍ନ ତରିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । କମ୍ ପଇସାରେ ମିଳୁଥିବା ଆଞ୍ଚଳିକ ଉତ୍ପାଦକୁ ନେଇ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ବିଶେଷ କରି ଉତ୍ତମ ପୃଷ୍ଠିଯୁକ୍ତ ଖାଦ୍ୟ ମାଣ୍ଡିଆ ଅଭିଯାନରେ ସାମିଲ୍ ହେବା ପାଇଁ ଅତିଥିମାନେ ବକ୍ତବ୍ୟ ଜରିଆରେ ପରାମର୍ଶ ପ୍ରଦାନ କରିଥିଲେ । ସୁପୋଷଣ ଜରିଆରେ ଆମେ ସମସ୍ତଙ୍କର ବିଶେଷ କରି ମା ଓ ଶିଶୁର ରୁଗ୍ଣତା ହାର ହ୍ରାସ କରିପାରିବା ଏବଂ ରୁଗ୍ଣତା ହାର କମିଲେ ଉଭୟଙ୍କର ମୃତ୍ୟୁହାର ମଧ୍ୟ କମି ଯାଇପାରିବ । ପ୍ରତ୍ୟେକ ବର୍ଷ ଏହି ପୋଷଣ ଉପରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ । ଏ ବର୍ଷ ଏହି ପକ୍ଷ ପାଳନ ଅବସରରେ ମୁଖ୍ୟତ ୩ ଟି ଆଧାର ଉପରେ ଗୁରୁତ୍ୱାରୋପ କରାଯାଇଛି । ମିଲେଟ୍ ର ପ୍ରଚାର ପ୍ରସାର ଏବଂ ଏହା ମାଧ୍ୟାମରେ ମା’, ଶିଶୁ ଓ ଭର୍ଗବତୀ ମାନଙ୍କର ଅପପୁଷ୍ଟି ଓ ରକ୍ତହୀନତା ଦୂର କରିବା, ସୁସ୍ଥ ଶିଶୁ ସୃଷ୍ଟି କରିବା । ସକ୍ଷମ ଏବଂ ସକ୍ରିୟ ଅଙ୍ଗବାଡ଼ି କେନ୍ଦ୍ର ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମ ପାଳନ ଉପଲକ୍ଷେ ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ବିଭାଗୀୟ ଅଧିକାରୀମାନଙ୍କ ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅସୀମ ଅମିତାଭ ଦାସ ପ୍ରମୁଖ ଏହି ଶୋଭାଯାତ୍ରରେ ଯୋଗ ଦେଇଥିଲେ । ସି.ଡ଼ି.ପି.ଓ ସୁପରଭାଇଜର, ଏସ୍.ଏଚ୍.ଜି., ଅଙ୍ଗନବାଡ଼ି କର୍ମୀ, ସ୍କୁଲ ପିଲା ସବୁ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପୋଷଣ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କିସମର ସ୍ୱାଦିଷ୍ଟ ଖାଦ୍ୟ ସବୁ ପ୍ରସ୍ତୁତ କରାଯାଇ ପ୍ରଦର୍ଶନ କରାଯାଇଥିଲା ।
Post Views: 66,156