ସିଏମସିର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଛତିଶଗଡ ସହରାଂଚଳ ଉନ୍ନୟନ ସଂସ୍ଥାର୧୩ ସଦସ୍ୟ
କଟକ : କଟକ ମହାନଗର ନିଗମ(ସିଏମସି) ଅଧୀନରେ ଚାଲିଥିବା ଏକାଧିକ ପ୍ରକଳ୍ପକୁ ଛତିଶଗଡ ରାଜ୍ୟ ସହରାଂଚଳ ଉନ୍ନୟନ ସଂସ୍ଥା(ଏସୟୁଡିଏ)ର ୧୩ ଜଣ ସଦସ୍ୟ ବୁଲି ଦେଖିଛନ୍ତି । ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କିନ୍ନରମାନଙ୍କ ଜରିଆରେ ‘ମୁକ୍ତା’ ଯୋଜନା ମାଧ୍ୟମରେ ଶେଷ ହୋଇଥିବା ନିର୍ମାଣ କାର୍ଯ୍ୟଗୁଡିକୁ ସେମାନେ ବୁଲି ଦେଖିଥିଲେ । ଏଥିସହ ସେମାନେ ସିଧାସଳଖ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଜ୍ଞାନ ଆହରଣ କରିଥିଲେ । ସେହିପରି କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ଜାତୀୟ ସହରାଂଚଲ ଜୀବିକା ମିଶନ(ଏନୟୁଏଲଏମ)ର ମିଳିତ ସହଯୋଗରେ ହୋଇଥିବା ଏକାଧିକ ପ୍ରକଳ୍ପ ଯଥା ମତ୍ତଗଜପୁରସ୍ଥିତ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ, ପ୍ରତାପନଗରୀସ୍ଥିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ତ୍ରିଶୂଳିଆ ପୋଲ ନିକଟରେ ଥିବା ମନୋରମ ଉଦ୍ୟାନ ସମେତ ଅନ୍ୟାନ୍ୟ ପ୍ରକଳ୍ପ ବୁଲି ସେମାନେ ଅଭିଜ୍ଞତା ସାଉଁଟିଥିଲେ ।ସିଏମସି ସିଟି ମିଶନ ପରିଚାଳନା ପକ୍ଷରୁ ସୁବ୍ରତ ଦାସ, ସୋନି ସିଲ୍, ଗରିମା ଜିଲ୍ଲା ସଂଯୋଜକ ସୈାମ୍ୟଦର୍ଶନ ମହାନ୍ତି, କନିଷ୍ଠ ପରିମଳ ବିଶେଷଜ୍ଞ ଜୀବନ ଜ୍ୟୋତି ସାହୁ, ସହରାଂଚଳ ପରିଚାଳନା କେନ୍ଦ୍ରର କାର୍ଯ୍ୟକ୍ରମ ପରିଚାଳକ ଲୋପାମୁଦ୍ରା ଦାସ ସେମାନଙ୍କୁ ଉପରୋକ୍ତ ପ୍ରକଳ୍ପଗୁଡିକ ବୁଲାଇ ଦେଖାଇଥିଲେ ।
