ଅଧ୍ୟାପକ ବିଶ୍ୱରଞ୍ଜନ ଦାସଙ୍କ ‘ପାଦର ଭାର’ ଲୋକାର୍ପିତ
ତିହିଡ଼ି : ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚର ଉପଦେଷ୍ଟା, ବିଶିଷ୍ଟ ସ୍ତମ୍ଭକାର, ସାହିତ୍ୟ-ସମାଲୋଚକ, ଅଧ୍ୟାପକ ବିଶ୍ୱରଞ୍ଜନ ଦାସଙ୍କ ଲଳିତନିବନ୍ଧ ଗ୍ରନ୍ଥ ‘ପାଦର ଭାର’ ଶୁକ୍ରବାର ସନ୍ଧ୍ୟାରେ ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପ ସ୍ଥିତ ସାଳନ୍ଦୀ ବହିମେଳା ପରିସରରେ ଲୋକାର୍ପିତ ହୋଇଯାଇଛି । ଭୁବନେଶ୍ୱର ‘ଟାଇମପାସ୍’ ପ୍ରକାଶନ ସଂସ୍ଥା ପକ୍ଷରୁ ଉକ୍ତ ଗ୍ରନ୍ଥଟି ପ୍ରକାଶ ପାଇଛି । ‘ଟାଇମପାସ୍’ର ନିର୍ଦ୍ଦେଶକ କବି ସରୋଜ ବଳଙ୍କ ପୌରୋହିତ୍ୟ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ତଥା ଧାମନଗରର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ଯୋଗଦେଇ ବିଶ୍ୱରଞ୍ଜନଙ୍କ ପ୍ରବନ୍ଧ, ସ୍ତମ୍ଭସାହିତ୍ୟ, ସମୀକ୍ଷା ଓ ସମାଲୋଚନା ସାହିତ୍ୟ ସଶକ୍ତ ଓ ବହୁ ପାଠକୀୟତା ଅର୍ଜନ କରିବାରେ ସମର୍ଥ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଘଟଗାଁ ବ୍ଲକ୍ ଅତିରିକ୍ତ ବିଡିଓ ତଥା ବିଶିଷ୍ଟ କବି ଚିତ୍ତରଞ୍ଜନ ନାୟକ ଯୋଗଦେଇ ‘ପାଦର ଭାର’ ପୁସ୍ତକର ପ୍ରଚ୍ଛଦ ଓ ନିବନ୍ଧର ନିର୍ଯ୍ୟାସ ସାଂପ୍ରତିକ ସମୟ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ସମ୍ବାଦସ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା, ସାଳନ୍ଦୀ ବହିମେଳାର ସମ୍ପାଦକ ଅଭିଜିତ ନାୟକ, ଯୁବଗାଳ୍ପିକ କୈଳାସ ବେହେରା ଯୋଗଦେଇଥିଲେ । ବହିମେଳାର ଉପସଭାପତି ସାହିତ୍ୟିକ ହରମୋହନ କୁଅଁର, ଗୀତିକାର ପଞ୍ଚାନନ ନାୟକ, କବି କିଶୋର ପାଣିଗ୍ରାହୀ, ଡକ୍ଟର ଅବନୀ ପ୍ରଧାନ, ଗୀତାରାଣୀ ଆଇଚ, ଡକ୍ଟର ପ୍ରଭାତ ନଳିନୀ ମହାପାତ୍ର, ଅଧ୍ୟାପକ ନାସିର ବକ୍ସ, ଅରୁଣ ଖିଲାର, ଗାଳ୍ପିକ ବିସ୍ମୟ ବିହାରୀ ସାହୁ, କବି ବିଚିତ୍ରାନନ୍ଦ ଜେନା, ସଞ୍ଜୟ ପଣ୍ଡା, ନିଖିଳେଶ ମିଶ୍ର, ଓମପ୍ରକାଶ ବିଶ୍ୱାଳ, କବି ଦେବେନ୍ଦ୍ରନାଥ ମହାଳିକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
