ମାନବିକତାର ସଂକଟ କାଳରେ ଗ୍ରାମ୍ୟ ବିଦ୍ୟାଳୟ ହିଁ ତିଆରି କରିପାରିବ ପ୍ରକୃତ ମାନବ ବଙ୍ଗାଳି ଦପା ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକୋତ୍ସବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରସର ପଞ୍ଚାୟତ ଅଧୀନ ବଙ୍ଗାଳୀ ଦପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସବ୍ୟସାଚୀ ସାହୁଙ୍କ ପୋରୋହିତ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଲୋଚକ ଅଧ୍ୟାପକ ଡ.ଅଭୟ କୁମାର ଦାସ ଯୋଗଦେଇ ଗ୍ରାମ୍ୟ ବିଦ୍ୟାଳୟ ଗୁଡ଼ିକର ଶୈକ୍ଷିକ ବାତାବରଣର ଉତ୍କର୍ଷକୁ ପ୍ରଶଂସା କରିବା ସହିତ ଆଜି ମାନବିକତାର ସଂକଟ କାଳରେ ଏଇଠି ହିଁ ପ୍ରକୃତ ମାନବ ତିଆରି ହୋଇ ପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ବିଭୂତି ଭୂଷଣ ସେନାପତି, ଶିକ୍ଷକ ନିତ୍ୟାନନ୍ଦ ବେହେରା ଯୋଗଦେଇ ଗ୍ରାମ ହିଁ ବସୁଧୈବ କୁଟୁମ୍ବକମ୍ ବାର୍ତ୍ତା ପ୍ରଚାର କରିବାରେ ସଫଳ ବୋଲି ମତ ରଖିଥିଲେ । ଅନ୍ୟତମ ଅତିଥି ଭାବେ ପରିଚାଳନା କମିଟି ସଭାପତି ବିଷ୍ଣୁ ମୋହନ ଦାସ ଯୋଗଦେଇ ସ୍କୁଲର ବିକାଶ ପାଇଁ ସର୍ବଦା ଜାଗ୍ରତ ବୋଲି କହିଥିଲେ । ସହକାରୀ ଶିକ୍ଷକ ଶ୍ରୀନିବାସ ଓଝା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଆନନ୍ଦ ଚରଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ସିଦ୍ଧାର୍ଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ପଦ୍ମିନୀ ବଳ, ଚନ୍ଦ୍ରିକା ଜେନା ଓ ବର୍ଷା ରାଣୀ ସାହୁଙ୍କ ନିର୍ଦ୍ଦେଶନାରେ କୁନି କୁନି ପିଲାମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚଳାନା କମିଟି ସଦସ୍ୟ ଏବଂ ଗ୍ରାମବାସୀମାନେ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
