ସମବାୟ ସମିତି ସମ୍ପାଦକଙ୍କ ନିଲମ୍ବନକୁ ସ୍ଥିତାବସ୍ଥା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ସମବାୟ ସମିତି ସମ୍ପାଦକ କାଳନ୍ଦୀ ଚରଣ ଦାସଙ୍କୁ କରାଯାଇଥିବା ବେଆଇନ ନିଲମ୍ବନକୁ ହାଇକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ସମ୍ପାଦକ କାଳନ୍ଦୀ ଚରଣ ଦାସ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଡବ୍ଲୁପିସି ନଂ ୯୮୫୪/୨୩ରେ ଏକ ମାମଲା ରୁଜୁ କରି ଶୁଣାଣି କରିଥିଲେ । ଏହି ମାମଲାରେ ଓଡ଼ିଶା ରାଜ୍ୟ ସମବାୟ ସଚିବ, ସମବାୟ ସମିତି ରେଜିଷ୍ଟ୍ରାର, ସମବାୟ ସମିତି ସହକାରୀ ରେଜିଷ୍ଟ୍ରାର, ଭଦ୍ରକ ଓ ଶ୍ୟାମସୁନ୍ଦରପୁର ସମବାୟ ସମିତି ସଭାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଅପରପକ୍ଷମାନଙ୍କୁ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମବାୟ ସମିତି ସମ୍ପାଦକ କାଳନ୍ଦୀ ଚରଣ ଦାସଙ୍କୁ ଆକ୍ରେଶମୂଳକ ଓ ବେଆଇନ ଭାବେ ସମବାୟ ସମିତି ସଭାପତି ନିଲମ୍ବନ କରିଥିଲେ । ଏହି ନିଲମ୍ବନ ନିୟମ ଅନୁସାରେ ବୋର୍ଡ଼ ସଦସ୍ୟଙ୍କ ଉପସ୍ଥିତିରେ କୌଣସି ଅଧିବେଶନ ହୋଇନାହିଁ ବୋଲି ସମ୍ପାଦକ ଶ୍ରୀ ଦାସ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଏହି ନିଲମ୍ବନ ଉପରେ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ଦେଇ ପରବର୍ତ୍ତୀ ଶୁଣାଣି ପର୍ଯନ୍ତ ସ୍ଥିତାବସ୍ଥା ବଜାୟ ରଖିଛନ୍ତି ।
