ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ସ୍ୱାସ୍ଥ୍ୟ ସେବା
କଟକ : ଭାରତର ଯୋଗ ଦର୍ଶନ ଓ ବେଦାନ୍ତକୁ ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଦର୍ଶନକୁ ସ୍ମରଣ କରାଇବା ପାଇଁ ୧୯୮୫ ମସିହାରୁ ତାଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯିବାର ଆବଶ୍ୟକତା ରହିଛି ବୋଲି ବାଖରାବାଦସ୍ଥିତ ଗାନ୍ଧିଭବନଠାରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ମତପୋଷଣ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ଆଲୋଚନା ଚକ୍ର ଓ ସ୍ୱାସ୍ଥ୍ୟ ସଭାରେ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ତଥା ଡି.ଲିଟି୍ ପ୍ରାପ୍ତ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦ ମାତ୍ର ୩୯ ବର୍ଷ ବୟସରେ ପରଲୋକ ହୋଇଥିଲେ ମଧ୍ୟ ସେ ଛାଡିଯାଇଥିବା ସାମାଜିକ, ରାଜନୈତିକ ଓ ଆଧ୍ୟାତ୍ମିକ ଛାପ ଭାରତୀୟମାନଙ୍କୁ ସ୍ୱାଧୀନଚେତା କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିବା ପ୍ରକାଶ କରିଥିଲେ । ସେ ଭାରତୀୟ ଚିକିତ୍ସା ଆୟୁର୍ବେଦର ପ୍ରସାର କରିବା ପାଇଁ ଭାରତ, ଆମେରିକା ଏବଂ ଇଂଲଣ୍ଡ ଆଦି ଦେଶରେ ରାମକୃଷ୍ଣ ମିସନ ମାଧ୍ୟମରେ ଅବଗତ କରାଉଥିଲେ । ଏହି କାର୍ଯ୍ୟକ୍ରମରେ ଗବେଷକ ସୁଲତା ପଣ୍ଡା, ଅଭିପ୍ସାର ସଂପାଦକ ସଂଗ୍ରାମ କେଶରୀ ନାୟକ, ଡାକ୍ତର ମିନତି ମହାରଣା, ସାହିତ୍ୟିକ ମନୋଜ କୁମାର ଦାସ ଓ ଚିତ୍ତ ରଂଜନ ରାୟ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ ସେବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
